ନୂଆଦିଲ୍ଲୀ: କୋରୋନା ଭାଇରସ୍ ଯୋଗୁଁ ଚୀନରୁ ଆମଦାନୀ ହେଉଥିବା ସମସ୍ତ ସମଗ୍ରୀ ଆମଦାନୀ ଉପରେ ରୋଲ ଲଗାଇଛି ଭାରତ । କୋରୋନାର ସ୍ଥିତି ସୁଧୁରୁନଥିବାରୁ ଏବେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀକୁ ଅନ୍ୟ ଦେଶରୁ ଆମଦାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଏହି ସାମଗ୍ରୀ ମଧ୍ୟରେ କପଡା, ରେଫ୍ରିଜରେଟର, ସୁଟକେସ୍, ଆଂଟିବାୟୋଟିକ୍, ଆମୋକ୍ସିସିଲିନ୍, ଏରିଥ୍ରୋମାଇସିନ୍ ଏବଂ ମେଟ୍ରୋନିଡାଜୋଲ, ଭିଟାମିନ୍, କୀଟନାଶକ, ସେମିକଣ୍ଡକ୍ଟର ଉପକରଣ, ଅଟୋ ପାର୍ଟସ୍, ଷ୍ଟିଲ୍ ଏବଂ ଆଲୁମିନିୟମ୍ ଆଇଟମ୍ ଏବଂ ମୋବାଇଲ୍ ଫୋନ୍ ରହିଛି। ପାଖାପାଖି ୧,୦୫୦ଟି ଆଇଟମ୍ ଆମଦାନୀ କରିବା ପାଇଁ ଭାରତ ଏବେ ଅନ୍ୟ ଦେଶମାନଙ୍କ ସହ ଯୋଗାଯୋଗ କରୁଛି।
କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଏବେ ଏ ନେଇ ଇଣ୍ଡିଆନ୍ ମିଶନକୁ ଚିଠି ଲେଖିଛି। ଏହି ମିଶନ ବିଶ୍ୱରେ ଥିବା ଯୋଗାଣକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ଅବଗତ କରାଇବାକୁ ବାଣିଜ୍ୟ ବିଭାଗ କହିଛି। ତେବେ ଦେଶର ବଜାରକୁ ବିଶ୍ଳେଷଣ କରାଯାଇ ଅନ୍ୟ ଦେଶର ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟ ସହ ଆମଦାନୀ ନେଇ ଆଲୋଚନା ଚାଲିଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି।
ଆଂଟିବାୟୋଟିକ୍ ଔଷଧ ପାଇଁ ଭାରତ ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀ ସହ କଥା ହେଉଥିବା ଜଣାପଡ଼ିଛି। ଏହି ଦୁଇ ଦେଶ ଚୀନକୁ ମଧ୍ୟ ଆଂଟିବାୟୋଟିକ ରପ୍ତାନୀ କରୁଛନ୍ତି। ତେଣୁ ଭାରତ ଏହି ଦୁଇ ଦେଶ ସହ ଆମଦାନୀ ନେଇ ଆଲୋଚନା କରୁଥିବା ଜଣାପଡ଼ିଛି।
ବିଭିନ୍ନ ସାମଗ୍ରୀର ଆମଦାନୀ ନେଇ ଅନ୍ୟ ଦେଶମାନେ ସକରାତ୍ମକ ପ୍ରତିକ୍ରିୟା ଦେଖାଇଥିବା ବେଳେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଫୋନ୍ ଆମଦାନୀ ପାଇଁ କୌଣସି ବ୍ୟବସ୍ଥା ହୋଇପାରି ନାହିଁ।
ଆସନ୍ତା ସପ୍ତାହରେ କେନ୍ଦ୍ର ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏ ନେଇ ବିସ୍ତୃତ ଭାବରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଅଭାବ ମେଂଟାଇବା ପାଇଁ ସ୍ଥାନୀୟ ଉତ୍ପାଦନକୁ ଅଧିକ ବଢ଼ାଇବା ପାଇଁ ସରକାର ଜୋର ଦେବେ ବୋଲି ଜଣାପଡ଼ିଛି।