୧୪ରେ ଦୁବାଇରୁ ୨୦୦ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ଵର ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଅଭିଯାନ ପ୍ରବାସୀମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ବିଗତ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଯୋଗୁଁ ବିଦେଶରେ ଫସିଥିବା ହଜାର ହଜାର ପ୍ରବାସୀ ସ୍ୱଦେଶକୁ ଫେରିଆସିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆବୁଧାବୀ, ଦୁବାଇରୁ ପ୍ରବାସୀମାନେ କେରଳ ପହଂଚିଥିବା ବେଳେ ଏବେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଦୁବାଇରୁ ଓଡ଼ିଆ ଲୋକଙ୍କୁ ନେଇ ଆସିବ ।

ସୂଚନା ଅନୁସାରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆସନ୍ତା ୧୪ ତାରିଖ ଅପରାହ୍ନ ୩ଟାରେ ପ୍ରାୟ ୨୦୦ ଜଣ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଉଡିବ । ଏହି ବିମାନ ରାତି ୯ଟା ୧୫ରେ ପହଂଚି ବୋଲି ଜଣାପଡ଼ିଛି । ବିମାନ ବନ୍ଦରରେ ପହଂଚିବା ପରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯିବ । ପ୍ରବାସୀମାନେ ନିଜ ଗୃହ ଜିଲ୍ଲାରେ ଥିବା ସରକାରୀ ସଂଗରୋଧ କେନ୍ଦ୍ରରେ ୨୧ ଦିନ ରହିବା ପରେ ପୁଣି ଥରେ ହୋମ କ୍ୱାରେଂଟାଇନ୍ ରେ ୭ ଦିନ ପର୍ଯ୍ୟନ୍ତ ରହିବେ ।