ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠିଥିବାରୁ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପକ୍ଷରୁ ଚଳାଚଳ କରୁଥିବା ଦିଲ୍ଲୀ- ଲାହୋର ବସ ସେବାକୁ ଆଜି (ସୋମବାର) ଠାରୁ ରଦ୍ଦ କରି ଦିଆ ଯାଇଛି। ଫଳରେ, ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ସେବା ପରେ ଦିଲ୍ଲୀ- ଲାହୋର ବସ୍ ସେବା ମଧ୍ୟ ରଦ୍ଦ ହୋଇ ଯାଇଛି। ଉଲ୍ଲେଖଯୋଗ୍ୟ, ଭାରତ ପାକ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିଟିସି ପକ୍ଷରୁ ଦିଲ୍ଲୀ- ଲାହୋର ମଧ୍ୟରେ ଏହି ବସ୍ ଚଳାଚଳ କରୁଥିଲା।
ଦିଲ୍ଲୀ ପରିବହନ ନିଗମ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି (ସୋମବାର) ସକାଳ ୬ଟା ସମୟରେ ପାକିସ୍ତାନର ଲାହୋରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବା ଡିଟିସିର ବସ୍କୁ ଯାତ୍ରା ଆରମ୍ଭ କରିବାକୁ ପାକ୍ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରି ନଥିଲେ। ଏବଂ ଏହି ସେବାକୁ ପାକିସ୍ତାନ ସରକାର ରଦ୍ଦ କରି ଦେଇଛନ୍ତି ବୋଲି ଘୋଷଣା କରିଥିଲେ।
ଏହି ପରିପ୍ରେକ୍ଷୀରେ ଡିଟିସି କର୍ତ୍ତୃପକ୍ଷ ମଧ୍ୟ ଏହି ଦିଲ୍ଳୀ- ଲାହୋର ବସ୍ ସେବାକୁ ରଦ୍ଦ ଘୋଷଣା କରିବା ସହ ଆସନ୍ତା କାଲି (ମଙ୍ଗଳବାର) ନୂଆଦିଲ୍ଲୀରୁ ଲାହୋର ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବା ବସ୍ ଆଉ ଯାତ୍ରା କରିବ ନାହିଁ ବୋଲି ଘୋଷଣା କରିଛନ୍ତି।