ଗିରଫ ହେବେ ମଦ୍ୟପ ଡ୍ରାଇଭର

ଭୁବନେଶ୍ୱର:ଏଣିକି ମଦ୍ୟପାନ କରି ଗାଡ଼ି ଚଳାଇଲେ ଗିରଫ ହେବେ ଡ୍ରାଇଭର । ଦେଶରେ ନୂଆ ଟ୍ରାଫିକ ନିୟମ ସାଙ୍ଗକୁ ଏବେ ରାଜ୍ୟର ସବୁ ଟୋଲଗେଟରେ ମଦ୍ୟପ ଡ୍ରାଇଭରଙ୍କୁ ଯାଂଚ କରାଯିବ । ଆଜି ସନ୍ଧ୍ୟାରୁ ମଦୁଆ ଡ୍ରାଇଭରଙ୍କୁ ଯାଂଚ ଆରମ୍ଭ କରାଯିବା ନେଇ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । 

ଦେଶରେ ନୂଆ ମୋଟର ଭେଇକେଲ ଆକ୍ଟ ଲାଗୁ ହେବା ପରେ ଟ୍ରାଫିକ ଓ ଜରୁରୀ କାଗଜପତ୍ର ନଥିଲେ ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଫାଇନ ଲାଗୁଥିବା ବେଳେ ବର୍ତ୍ତମାନ ମଦ୍ୟପ ଡ୍ରାଇଭରଙ୍କୁ ନିସ୍ତାର ନାହିଁ । ରାଜ୍ୟର ସମସ୍ତ ୧୪ଟି  ଟୋଲଗେଟରେ ଯାଂଚ କରାଯାଇ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯିବା ପାଇଁ ନିଷ୍ପତି ହୋଇଛି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ଏହି ନିଷ୍ପତି କଡ଼ାକଡ଼ି ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଆଜି ସନ୍ଧ୍ୟାରୁ ସମସ୍ତ ଟୋଲଗେଟରେ ଡ୍ରାଇଭରଙ୍କ ଚେକିଂ କରାଯିବ । ସମସ୍ତ ଟୋଲଗେଟରେ ମଦୁଆ ଡ୍ରାଇଭରଙ୍କ ବ୍ରେଥ ଆନାଲାଇଜରରେ ଟେଷ୍ଟ ଓ ମେଡିକାଲ ଟେଷ୍ଟ ଯାଂଚ କରାଯିବା ନେଇ ସରକୁଲାର ଜାରି କରାଯାଇଛି ।