ପୂର୍ବତଟ ରେଳପଥରେ ସୁରକ୍ଷା ପାଇଁ ଜଗିବ ଡ୍ରୋନ୍

ଭୁବନେଶ୍ୱର: କରୋନା ପାଇଁ ଦେଶରେ ତାଲାବନ୍ଦ ଜାରି ରହିଥି‌ଲେ ହେଁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଲାଗି ମାଲବାହୀ ଟ୍ରେନ୍‌ଗୁଡ଼ିକ ନିୟମିତ ଭାବେ ଚଳାଚଳ କରୁଛି। ଏଭଳି ସ୍ଥିତିରେ ପୂର୍ବତଟ ରେଳପଥର କେତେକ ଶାଖାରେ ସୁରକ୍ଷାବଳର ମୁତୟନ ବନ୍ଦ ରହିଛି ଏବଂ ଆଉ କିଛି ସ୍ଥାନରେ କମ୍ ମୁତୟନ ହୋଇଛନ୍ତି। ଏହି ସମୟରେ ଟ୍ରେନ୍ କୋଚ୍ ଓ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ସବୁ ତାଲାବନ୍ଦ ରହିଛି। ଏଥିସହ ବ୍ୟବହାର ହେଉଥିବା ସିଗ୍‌ନାଲିଂ ଭିତିଭୂମି, ଷ୍ଟେସନ୍ ରିଲେ ରୁମ୍‌, ଗୁଡ଼ସ୍ ସେଡ଼୍‌, ୱାଗନ୍ ଷ୍ଟକ୍ ଇତ୍ୟାଦିର ସୁରକ୍ଷା ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ଉପରେ ନ୍ୟସ୍ତ। ପୂର୍ବତଟ ରେଳପଥ ପରିସୀମାର ବୃହତ୍ ଅଂଚଳ ମାଓବାଦୀ ପ୍ରବଣ ହୋଇଥିବାରୁ ୨୪x୭ ସମୟ ଧରି ରେଳପଥର ସମସ୍ତ ସ୍ଥିର ଓ କାର୍ଯ୍ୟକ୍ଷମ ହେଉଥିବା ମୂଲ୍ୟବାନ ସମ୍ପତିର ସୁରକ୍ଷା ଏହି ତାଲାବନ୍ଦରେ ଏକ ଆହ୍ୱାନ ଭାବେ ଛିଡ଼ା ହୋଇଛି। ତେଣୁ ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ପ୍ରଥମ ରେଳପଥ ଭାବେ ଏହି ସମ୍ପତିର ସୁରକ୍ଷା ନିମନ୍ତେ ୨୪x୭ ସମୟ ଧରି ଡ୍ରୋନ୍ କ୍ୟାମେରା ମୁତୟନ କରିଛି। ଏହି ଡ୍ରୋନ୍ କ୍ୟାମେରା ରେଳ ସୁରକ୍ଷା ବଳର ଅଧିକାରୀମାନଙ୍କର ନିର୍ଦ୍ଦେଶକ୍ରମେ ମୁତୟନ କରାଯାଉଛି। ଏହା ରେଳ ସୁରକ୍ଷାବଳର କାର୍ଯ୍ୟ ଦକ୍ଷତା ଓ ସାମର୍ଥ୍ୟ ଆଶାନୁରୂପ ଭାବେ ତୁଲାଇ ପାରିବ।