ଗଞ୍ଜାମ ବସ୍ ଟ୍ରାଜେଡି ଘଟଣା; ବସ୍ ଚାଳକର ଦାୟୀ ବୋଲି ବିଧାନସଭାରେ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମର ବସ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ବରଣ କରିଥିବା ୧୧ଜଣ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏହାକୁ ନେଇ ଉତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଭାବେ ବସ୍ ଚାଳକ ଦାୟୀ ।

ରିପୋର୍ଟ ଅନୁଯାୟୀ, ବସଟି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯାଇଥିଲା, ଯେଉଁଥି ପାଇଁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିପାଇଁ ବସର ପରିମିଟ ରଦ୍ଦ କରାଯିବା ସହ ଗାଡି ମାଲିକ ଓ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି । ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ନିୟମ ଭାଙ୍ଗିଥିବାରୁ ଚାଲାଣ ମଧ୍ୟ କଟାଯାଇଛି । ଡ୍ରାଇଭର ଦାୟିତ୍ୱହୀନ ଭାବେ ଗାଡି ଚଳାଉଥିବାରୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି ।

ଏହାଛଡା ତଦନ୍ତରୁ ଜଣାପଡିଛି ଯେ, ୧୧ କେଭି ବିଦ୍ୟୁତ ତାର ଭୂମିଠାରୁ ୨୦ ଫୁଟ ଉଚ୍ଚରେ ରହିବା ନେଇ ନିୟମ ଥିବା ବେଳେ ଦୁର୍ଘଟଣାସ୍ଥଳରେ ଏହା ୧୨ ଫୁଟ ଉଚ୍ଚରେ ଥିଲା ଯାହା ଦୁର୍ଘଟଣାର ମୁଖ୍ୟକାରଣ । ଏହାଛଡା ବିଦ୍ୟୁତ ତାର ବସ୍ ସଂସ୍ପର୍ଶରେ ଆସିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ବସରୁ ତଳକୁ ଓହ୍ଲାଇବା ବେଳେ କରେଣ୍ଟ ଲାଗି ପ୍ରାଣ ହରାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି ।

ଏହି ଘଟଣାର ତଦନ୍ତ କରାଯାଇ ସାଉଥକୋର କନିଷ୍ଠ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ଆହତମାନଙ୍କ ମାଗଣା ଚିକିତ୍ସା କରାଯିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସରକାରଙ୍କ ପକ୍ଷରୁ ଦିଅଯାଇଛି ।

ଗତ ୯ ତାରିଖରେ ନିବର୍ନ୍ଧ ଉତ୍ସବକୁ ଯାଉଥିବା ବସଟି ଗଞ୍ଜାମର ମେନ୍ଦ୍ରାରାଜପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏହି ଘଟଣାରେ ୧୧ ଜଣ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଥିଲା ଓ  ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଖାସକରି ବିଦ୍ୟୁତ ବିଭାଗ ଉପରକୁ ଅଧିକାଂଶ ଲୋକ ଆଙ୍ଗୁଳି ଉଠାଇଥିଲେ ।