କେନାଲ ଭିତରକୁ ଗଡ଼ିଗଲା ସ୍କୁଲ୍‌ ଭ୍ୟାନ୍‌: ଡ୍ରାଇଭର ଓ ୧୧ ପିଲା ଆହତ

ଚାରିଛକ: ସୋମବାର ସକାଳେ ପୁରୀ ଜିଲ୍ଲାର ବାହାରଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଇଦାବ କେନାଲ ଭିତରକୁ ଗୋଟାଏ ସ୍କୁଲ୍‌ ଭ୍ୟାନ୍‌ ଗଡ଼ିଯିବାରୁ ଡ୍ରାଇଭର୍‌ ଓ ୧୧ ଜଣ ପିଲା ସାମାନ୍ୟ ଆହତ ହୋଇଛନ୍ତି।

ଆଜି ପରୀକ୍ଷା ଥିବାରୁ ସକାଳୁ ଦଡ଼ିକିରା, କଦଳୀବାରି, ତେନ୍ତୁଳିଗୁଆଁ, କୁସୁମଠେଙ୍ଗ ଆଦି ଗାଁମାନଙ୍କରୁ ୨ୟରୁ ୫ମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୨୦ଜଣ ପିଲାମାନଙ୍କୁ ନେଇ ଟାଟା ମେଜିକ୍‌ ଭ୍ୟାନ୍‌ଟି ପଥରପଦାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର-୨ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୭ଟା ବେଳେ ଗାଡ଼ିଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ପାଣିଭରା କେନାଲ ମଧ୍ୟକୁ ଗଡ଼ିଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ପାଣି ମଧ୍ୟରୁ ପିଲାମାନଙ୍କୁ ଓ ଡ୍ରାଇଭର ନୀଲୁ ପ୍ରଧାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ ପିଲା ସାମାନ୍ୟ ଆହତ ହୋଇଥିଲେ। ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାଡ଼ି ଦିଆଯାଇଥିଲା। ସେମାନେ ସ୍କୁଲ୍‌କୁ ଯାଇ ପରୀକ୍ଷା ଦେଇଥିଲେ।

ଡ୍ରାଇଭର୍‌ ନୀଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିବାରୁ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ରେଫର୍‌ କରାଯାଇଛି।

ଦୁର୍ଘଟଣାର ଖବର ପାଇ ଅଭିଭାବକମାନେ ସମ୍ପୃକ୍ତ ସ୍କୁଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ସେଠାରେ ପହଞ୍ଚି ବୁଝାଶୁଝା କରିବାରେ ପରିସ୍ଥିତି ଶାନ୍ତ ହୋଇଥିଲା।