ବିଷାକ୍ତ ମଦ ପିଇ ୩ ମୃତ: ଅସୁସ୍ଥଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ତିହିଡି : ଭଦ୍ରକ ଜିଲା ତିହିଡି ବ୍ଲକ ଦଉଲତପୁର ଗ୍ରାମରେ ବିଷାକ୍ତ ମଦ ପିଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାସହ ୭ଜଣ ଅସୁସ୍ଥ ମଧ୍ୟ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ସାଧୁଚରଣ ନାୟକ, ଶଙ୍କର୍ଷଣ ଦାସ ଓ ରାମଚନ୍ଦ୍ର ପଢ଼ିଆରୀ ବୋଲି ଜଣାପଡିଛି l ଦୁଇ ଜଣଙ୍କ ମୃତଦେହ ଜିଲା ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ରଖା ଯାଇଥିବା ବେଳେ ଜଣଙ୍କ ମୃତଦେହ ଗ୍ରାମରେ ପଡ଼ିରହିଛିl ଦୁଇ ଜଣ ଅସୁସ୍ଥ ହେଲେ ବାଇଧର ନାୟକ ଓ କୁନା ଜେନା। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକମାନେ ପିରହାଟ ବଜାରର ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିବା ଜଣାପଡିଛି। ତେବେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୩ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଦଉଲତପୁର ଗ୍ରାମର ୫ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ସୋମବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଗ୍ରାମରେ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ୨ଜଣ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି।