କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋର୍ଡ

ବାରଣାସୀ: ଉତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଏଥର ଡ୍ରେସ କୋର୍ଡ ଲାଗୁ କରାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ନିଜ ମନପସନ୍ଦର ପୋଷାକରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିପାରିବେ ନାହିଁ । ଅର୍ଥାତ ବାବାଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କୁ ମନ୍ଦିର ପରିଚାଳନା କମିଟି ନିର୍ଦେଶରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରିବାକୁ ପଡ଼ିବ । ମାତ୍ର ଏହି ବସ୍ତ୍ର କେବଳ ସ୍ପର୍ଶ ଦର୍ଶନ ପାଇଁ ଲାଗୁ କରାଯାଇଛି । ଅନ୍ୟ ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି ଅଛି ।

ନୂତନ ବ୍ୟବସ୍ଥା ଅନୁସାରେ କାଶୀ ବିଶ୍ୱନାଥ ମନ୍ଦିରରେ ସ୍ପର୍ଶ ଦର୍ଶନ କରିବାକୁ ଆଶା ରଖିଥିବା ମହିଳାଙ୍କ ପାଇଁ ଶାଢ଼ୀ ଓ ପୁରୁଷଙ୍କ ପାଇଁ ଧୋତି କୁର୍ତା ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି । ସୂଚନାଯୋଗ୍ୟ ରବିବାର ରାତି କାଶୀ ବିଦବତ ପରିଷଦ ବୈଠକରେ ଏହି ନିଷ୍ପତି ହୋଇଛି । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ଶ୍ରଦ୍ଧାଳୁମାନେ ପୂର୍ବାହ୍ନ ୧୧ଟା ଯାଏଁ ସ୍ପର୍ଶ ଦର୍ଶନ କରିପାରିବେ । ଜିନ୍ସ ପ୍ୟାଂଟ, ସାର୍ଟ, ଜିନ୍ସ ପିନ୍ଧିଥିବା ଲୋକେ ଏଥିରୁ ଦୂରରେ ରହିବେ । ନୂତନ ଡ୍ରେସ କୋର୍ଡ ଖୁବ ଶୀଘ୍ର ଲାଗୁ କରାଯିବ ।

ଉଲ୍ଲେଖଯୋଗ୍ୟ ଏବେ ଏହି ବ୍ୟବସ୍ଥା ଉଜୈନର ମହାକାଳ ମନ୍ଦିରରେ ଲାଗୁ କରାଯାଇଛି ଏବଂ ଏହି ଆଧାରରେ କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ସ୍ପର୍ଶ ଦର୍ଶନ ପାଇଁ ବିନା ସିଲେଇ ହୋଇଥିବା ବସ୍ତ୍ର ପରିଧାନ କରିବାକୁ ହେବ । ଏହା ପରେ ସ୍ପର୍ଶ ଦର୍ଶନ ପାଇଁ ଅନୁମତି ମିିଳିବ ।