ଡକ୍ଟର ସନ୍ତୃପ୍ତ ମିଶ୍ର  ହେଲେ ଏକାମ୍ର ଯୋଜନା ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ 

ଭୁବନେଶ୍ୱର: ଲିଙ୍ଗରାଜ ପୀଠ ଏକାମ୍ର୍ କ୍ଷେତ୍ରର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର୍ ଯୋଜନା ପ୍ରକଳ୍ପ ଘୋଷଣା କରିଥିବାବେଳେ ଆଜି ପରାମର୍ଶଦାତା କମିଟି ଘୋଷଣା କରାଯାଇଛି । ଡକ୍ଟର ସନ୍ତୃପ୍ତ ମିଶ୍ର  ହେଲେ ଏକାମ୍ର ଯୋଜନା ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ  । କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ଇଝଓ ସୁପରିନ୍‌ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ ୩ଜଣ ସେବାୟତ ମଧ୍ୟ କମିଟିରେ ରହିବେ । ଏକାମ୍ରକ୍ଷେତ୍ରର ବିକାଶ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ଅନୁଯାୟୀ ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷା ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦେଇ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦ଏକର ଜମିର ହେବ ବିକାଶ ।

କମିଟି ଅଧ୍ୟକ୍ଷ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସନ୍ତୃପ୍ତ ମିଶ୍ର । ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେବା ଏକ ଗୌରବ କଥା ବୋଲି କହି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି । କମିଟିର ସଦସ୍ୟ ହେବା ଏକ ସମ୍ମାନ ଓ ପ୍ରେରଣାଦାୟୀ କାର‌୍ୟ୍ୟ, ରାଜ୍ୟ ପାଇଁ କିଛି କରିବାର ଏହା ହିଁ ସୁଯୋଗ । ନିଜ ଅଭିଜ୍ଞତା ଓ ଦକ୍ଷତାରୁ ଏହି ପ୍ରକଳ୍ପ ସଫଳ ହେବ ବୋଲି ସନ୍ତୃପ୍ତ କହିଛନ୍ତି । ‘ଜଣେ ଶିବ ଭକ୍ତଭାବେ ଏହି ଦାୟିତ୍ୱ ମୋ ପାଇଁ ଆଶିର୍ବାଦ, ଅନେକଙ୍କ ଭଳି ମୋ ପାଇଁ ଶ୍ରୀଲିଙ୍ଗରାଜ ଆଶା ଓ ଆଶ୍ୱାସନାର ପ୍ରତୀକ’ ବୋଲି କହିଛନ୍ତି ସନ୍ତୃପ୍ତ ମିଶ୍ର ।

ଡକ୍ଚର ସନ୍ତୃପ୍ତ ମିଶ୍ର ଏବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଥିବା ବେଳେ, କାର୍ବନ ବ୍ଲାକ ଓ କେମିକାଲ ବିଜନେସର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି । ସେହିପରି କର୍ପୋରେଟ ହାଉସ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଉଦାରୀକରଣ ଅର୍ଥନୀତି ଓ ଉଦ୍ୟୋଗ ଜଗତର ଏହି ସୁଦକ୍ଷ ବିଜିନେସ୍ ଲିଡର ହେଲେ ଡ. ସଂତୃପ୍ତ ମିଶ୍ର । ପୂର୍ବରୁ ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର‌୍ୟ୍ୟ କରିଛନ୍ତି ସନ୍ତୃପ୍ତ । ଏହାଛଡ଼ା ଭାରତର ପ୍ରାୟ ୪୦ରୁ ଅଧିକ ସଂସ୍ଥାର ଟ୍ରେନର ଓ ପରାମର୍ଶଦାତା ରହିଆସିଛନ୍ତି ।