୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ ହୋଇଛନ୍ତି । ମୃତକମାନେ ହେଲେ ଶକ୍ତିଭୂଷଣ କୁମୁରା ଓ ଅରବିନ୍ଦ କୁମୁରା । ଆହତମାନେ ହେଲେ ବିଭୂତି ଭୂଷଣ କୁମରା ଓ ସମ୍ପର୍କୀୟ ଭାଇ ନନ୍ଦଲାଲ ଭୁଏ। ସେମାନଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କହଳ ଓ କମେଣ୍ଟ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଏସ୍‌ପି କନୱର ବିଶାଲ ସିଂହ କହିଛନ୍ତି ।

ଗତକାଲି ଚାରି ଭାଇଙ୍କ ସହିତ ଆଉ ଗୋଟିଏ ପରିବାର ସହ ଝଗଡ଼ା ହୋଇଥିଲେ । ରାତିରେ ଗାଁରେ ବୈଠକ ବସିବାର ଥିଲା । କିନ୍ତୁ ସେହି ପରିବାରର ସଦସ୍ୟମାନେ ଅପରପକ୍ଷଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ । ଚାରି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ନୃଶଂସଭାବେ ହାଣି ଥିଲେ । ଫଳରେ ସମସ୍ତେ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶକ୍ତିଭୂଷଣ ଓ ଅରବିନ୍ଦଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟମାନେ ଏବେବି ଚିକିତ୍ସାଧୀନ ଅଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି । ଏହା ସହିତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ କରାଯାଉଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି ।