ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର

ଭୁବନେଶ୍ୱ:ରାଜଧାନୀ ଭୁବନେଶ୍ୱରରେ ବଢ଼ୁଥିବା ଅପରାଧକୁ ରୋକ ଲଗାଇବାକୁ କମିଶନରେଟ୍‌ ପୋଲିସ ତତ୍ପର ହୋଇପଡ଼ିଛି । ଆଜି ଭୋରୁ ଭୋରୁ ପୋଲିସ ଦୁଇ ଦୁଇଟି ଏନ୍‌କାଉଣ୍ଟର୍‌ କରିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଓରଫ ଅରୁଣ କୁମାର ମଲ୍ଲିକ (ପୋଡ଼ା) ଓ ବିବେକାନନ୍ଦ ନାୟକ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଭଇଁଚୁଆ ରୋଡ୍‌ରେ ଏହି ଏନକାଉଣ୍ଟର ହୋଇଛି ।

ଆଜି ଭୋରୁ ବାଲିଅନ୍ତାର ଭଇଁଚୁଆ ରୋଡ୍‌ରେ ଅରୁଣ ଓ ବିବେକାନନ୍ଦ ଥିବା ଜାଣି ପୋଲିସ ଚଢ଼ାଉ କରିଥିଲା । ଦୁଇ ଜଣ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେମାନେ ପ୍ରଥମେ ପୋଲିସ ଉପରକୁ  ଗୁଳିଚାଳନା କରିଥିଲେ । ପୋଲିସର ପାଲଟା ଗୁଳିରେ ଦୁଇ ଜଣ ଆହତ ହୋଇପଡ଼ିଛନ୍ତି । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି । ଜଣଙ୍କର ବାମ ଗୋଡ଼ରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ ଓ  ଗୋଟିଏ ଅଫୁଟା ଗୁଳି ଜବତ କରିଛି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ପ୍ରାୟ ୧୭ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଟ ଓ ଡକାୟତିରେ ସଂପୃକ୍ତି ଥିବା ଅଭିଯୋଗ ରହିଛି ।