ତାସ୍ ପାଲି ପକାଇ କରୋନାକୁ ନିମନ୍ତ୍ରଣ କରନ୍ତୁ ନାହିଁ

ଭୁବନେଶ୍ୱର: କରୋନାକୁ ରୋକିବା ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ ଲକ୍ ଡାଉନ୍ ଜାରି ଥିବାବେଳେ ଏହି ଲକ୍ ଡାଉନ୍ ରେ ରାଜ୍ୟର କିଛି ଗ୍ରାମାଂଚଳର ଯୁବଗୋଷ୍ଠୀ ତାସ୍ ପାଲି ବାଡେଇବାରେ ମାତିଛନ୍ତି । ଏହି ତାସ୍ ପାଲି ସମୟରେ ସେମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଉନାହାଁନ୍ତି ।

ଏ ପରିପ୍ରେକ୍ଷୀରେ ଏପରି କାର୍ଯ୍ୟରେ ଲିପ୍ତ ଯୁବଗୋଷ୍ଠୀକୁ ସତର୍କ କରାଇଦେବାକୁ ଯାଇ ଚମକାଇଦେଲା ଭଳି ଏକ ତଥ୍ୟ ରାଜ୍ୟବାସୀଙ୍କୁ ଆଜି ପ୍ରଦାନ କରିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କ ଦ୍ୱାରା ସଂକ୍ରମଣର ମାତ୍ରା ଅଧିକ ରହିଥାଏ। କରୋନା ଆକ୍ରାନ୍ତ ବ୍ୟକ୍ତିର କାଶ ଓ ଛିଙ୍କର ପରିଧି ମଧ୍ୟରେ ରହିଥିବା ସୁସ୍ଥ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇ ପଡ଼ିଥାଏ। କରୋନା ଆକ୍ରାନ୍ତ ବ୍ୟକ୍ତିର କାଶରୁ ବାହାରୁ ଥିବା ଗୋଟିଏ ଗୋଟିଏ ଭୂତାଣୁ କଣିକା ୧୯ ଫୁଟ ପର୍ଯ୍ୟନ୍ତ ଗତି କରିପାରିବାର କ୍ଷମତା ରଖୁଥିବା ବେଳେ ଆକ୍ରାନ୍ତ ବ୍ୟକ୍ତିର ଛିଙ୍କରୁ ନିର୍ଗତ ହେଉଥିବା ଗୋଟିଏ ଗୋଟିଏ ଭୂତାଣୁ କଣିକା ୨୯ ଫୁଟ ପର୍ଯ୍ୟନ୍ତ ଗତି କରିପାରେ ବୋଲି କହିଛନ୍ତି ଶ୍ରୀ ବାଗଚୀ। ତେଣୁ ଏହାକୁ ଦୃଷ୍ଟିରେ ଅତ୍ୟନ୍ତ କିଛି ଦିନ ଲାଗି ଯୁବଗୋଷ୍ଠୀ ତାସ ପାଲି ପକାଇବାରୁ ନିଜକୁ ନିବୃତ ରଖିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।