ଆଜିଠାରୁ ଅନ୍‌ଲାଇନ୍‌ରେ ମିଳିବ ପୋଲିସ ଗାଡ଼ିର କାଗଜପତ୍ର

ଭୁବନେଶ୍ୱର: ପୋଲିସ ନିଜେ ଆଇନ ଉଲ୍ଲଂଘନ କରୁଥିବାବେଳେ ସାଧାରଣ ଲୋକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବା ସନ୍ଦେହକୁ ଦୂର କରିବାକୁ କମିଶନରେଟ୍‌ ପୋଲିସ ଏକ ଅଭିନବ ପଦକ୍ଷେପ ଆପଣାଇଛି । ଏଣିକି ଅନଲାଇନ୍‌ରେ ପୋଲିସ ଗାଡ଼ିର କାଗଜପତ୍ର ମିଳିପାରିବ । ୱେବ୍‌ସାଇଡ଼୍‌କୁ ଗଲେ ଯିଏ କେହି ବି ପୋଲିସ ଗାଡ଼ିର ଡକ୍ୟୁମେଣ୍ଟକୁ ଯାଞ୍ଚ କରିପାରିବ । ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି କହିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର୍‌ ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଗତକାଳି ଭୁବନେଶ୍ୱରରେ କିଛି ଲୋକ ତିନୋଟି ସରକାରୀ ଗାଡ଼ିକୁ ଅଟକ ରଖିଥିଲେ । ସେମାନେ ଆଇନ ଉଲ୍ଲଂଘନ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ରାଜମହଲ ଛକରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଲୋକଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରିବାକୁ ସମସ୍ତ ପୋଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍‌ରେ ଅପଲୋଡ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।