କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ସ୍ଥିତପ୍ରଜ୍ଞ ମହାନ୍ତି ନାମକ ଜଣେ ଡାକ୍ତର ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଂଚ ନେବା ବେଳେ ଭିଡିଓ ଭାଇରାଲ ହୋଇଛି ।
ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ଆସିଥିବା ବେଳେ ଏହି ଭିଡିଓ ସୁଟ୍ ହୋଇଥିବା କୁହାଯାଉଛି। ଏହି ଭିଡିଓ ପ୍ରାୟ ମାସେ ପୂର୍ବେ ହୋଇଥିବା ବେଳେ କିଛି ଦିନ ହେବ ଏହା ଭାଇରାଲ ହେବାର ଲାଗିଛି।
ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ମେଡିକାଲ ଫିଟନେସ୍ ଡକ୍ୟୁମେଂଟରେ ଦସ୍ତଖତ ଲାଗି ଜଣକ ପିଛା ଡାକ୍ତର ନେଉଛନ୍ତି ୧୦୦ ଟଙ୍କା। ୧୦୦ ଟଙ୍କା ନ ଦେଲେ ସେ ଏହି ଡକ୍ୟୁମେଂଟରେ ଦସ୍ତଖତ କରିବେ ନାହିଁ ବୋଲି ସଫା ସଫା ମନା କରିଦେଉଛନ୍ତି। ଏହି ଭିଡ଼ିଓର ସତ୍ୟତା ତଦନ୍ତ ହେଲେ ଜଣାପଡ଼ିବ। ତେବେ ଏନେଇ ସଂପୃକ୍ତ ଡାକ୍ତର କି ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନି।
ସ୍ୱାସ୍ଥ୍ୟ ବିଭାଗ ମୋ ସରକାର ଅଧୀନରେ ଥିବା ସତ୍ୱେ ଡାକ୍ତରଙ୍କ ଏପରି ମନୋଭାବ ହେତୁ ରୋଗୀ ସେବା କିପରି ଚାଲିଥିବା ତାହା ସହଜେ ଅନୁମେୟ।