ଡାକ୍ତର ସାଜିଲେ ଦେବଦୂତ, ଗର୍ଭବତୀଙ୍କୁ କାନ୍ଧରେ ବୋହିଲେ ୩୦ କିଲୋମିଟର

ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରିର କାଲିମେଳା ବ୍ଲକ ଅନ୍ତର୍ଗତ ମାଓପ୍ରବଣ କୁରୁମାନୁ ପଂଚାୟତର କଢିଡୁଲାଗୁଂଟି ଗ୍ରାମରେ ପୁଣି ଦେଖିବାକୁ ମିଳିଛି ଡାକ୍ତରଙ୍କ ମହାନତା।

ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କଢିଡୁଲାଗୁଂଟି ଗ୍ରାମର ଜଣେ ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ଖବର ପାଇ ପୋଲିଓ ଟୀକା ଦାନ ପାଇଁ ଯାଇଥିବା ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କର ୫ ଜଣିଆ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଂଚି ଉକ୍ତ ମହିଳାଙ୍କ ପ୍ରସବ କରିଥିଲେ।

ଶିଶୁକୁ ଜନ୍ମ ଦେବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ସହ ପାଂଚ ଜଣିଆ ମେଡିକାଲ ଟିମ୍ ପ୍ରାୟ ୩୦ କିଲୋମିଟର ଦୁର୍ଗମ ରାସ୍ତା, ପାହାଡ, ଜଙ୍ଗଲ ଦେଇ ମହିଳାଙ୍କୁ କାନ୍ଧରେ ବୋହି କାଲିମେଳା ମେଡିକାଲକୁ ଆଣିଥିଲେ। ବର୍ତମାନ ମା’ ଓ ପିଲା ସୁସ୍ଥ ଅଛନ୍ତି।