ଭୁବନେଶ୍ୱର: ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ହେଲମେଟ ନପିନ୍ଧି ବାଇକ୍ ଚଳାଉଛନ୍ତି । ଏପରିସ୍ଥଳେ ଦୁର୍ଘଟଣା ଘଟିଲେ ଚାଳକ ସହ ପଛରେ ବସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି । ଅନେକ ସମୟରେ ପ୍ରାଣହାନୀ ଘଟୁଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପିଲିଅନ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି ।
ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଦୁଇ ଚକିଆ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି (ପିଲିଅନ୍) ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ ତ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରି ଦିଆଯିବ । ନିଜ ସହ ପଛରେ ବସିଥିବା ବ୍ୟକ୍ତିଙ୍କ ସୁରକ୍ଷା ଲାଗି ହେଲମେଟ୍ ପିନ୍ଧିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।
Diving licence will be suspended if both the ride and person sitting do not wear helmets. Please wear helmets for your safety. https://t.co/wxLcVVUAEr
— STA Odisha (@STAOdisha) December 5, 2020
ପୂର୍ବରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ହେଲମେଟ ନ ପିନ୍ଧି ଥିଲେ ଡିଏଲ୍ ଜବତ ଲାଗି ପୋଲିସକୁ ବି କ୍ଷମତା ମିଳିଛି । ଆଇନ୍ ଅନୁସାରେ ହେଲମେଟ ନ ପିନ୍ଧି ଗାଡ଼ି ଚାଳନା କରୁଥିଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ଲାଗି ରଦ୍ଦ ହେବ ବୋଲି କୁହାଯାଇଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ରଦ୍ଦ ହୋଇପାରେ ଡିଏଲ୍ ।
୧) ଧାର୍ଯ୍ୟ ଗତିଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକରେ ନାଲିବତି ଡେଇଁବା
୨) ମାଲ ପରିବହନ ଗାଡ଼ିରେ ଓଭରଲୋଡିଂ ଏବଂ ଲୋକଙ୍କୁ ପରିବହନ
୩) ମଦ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା
୪) ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନର ବ୍ୟବହାର କରିବା
୫) ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା