ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଥିବା ପଞ୍ଜାବୀ ମଠକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ଣରେ ଜିଲ୍ଲା ପ୍ରଶାସନ ସିଲ୍‌ କରିଛି।

ଗତରାତିରେ ସେ ମଠର ଗୋଟାଏ ପ୍ରକୋଷ୍ଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିଲା।

ମଠର ଗୋଟିଏ ପ୍ରକୋଷ୍ଠକୁ କେତେକ ଅସାମାଜିକ ତତ୍ତ୍ୱ ବଳପୂର୍ବକ ଦଖଲ କରି ତାଲା ପକାଇ ରଖିବା ସହ ସେଠାରେ ନିଶା ଔଷଧ କାରବାର କରିବା ଏବଂ ନାନା ପ୍ରକାର ଅପରାଧିକ କାର୍ଯ୍ୟକଳାପ ନିମନ୍ତେ ଯୋଜନା କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଗତରାତିରେ ସେଠାରେ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଯୋଜନା କରାଯାଉଥିବା ଖବର କୌଣସି ସୂତ୍ରରୁ ପାଇ ପୁଲିସ ଚଢ଼ାଉ କରିଥିଲା।

ଆଜି ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ପଞ୍ଜାବୀ ମଠରେ ପଶି ପ୍ରକୋଷ୍ଠଗୁଡ଼ିକର ତାଲା ଭାଙ୍ଗି ଆସବାବପତ୍ରଗୁଡ଼ିକୁ ବାହାର କରିଛି। ମଠ ଉଚ୍ଛେଦ ବିରୋଧରେ ପଞ୍ଜାବୀ ମଠର କର୍ତ୍ତୃପକ୍ଷ ଅଦାଲତରେ ଫେରାଦ ହୋଇଥିବାରୁ ସେଠାରେ ଏବେ କୌଣସି ଅନ୍ତେଃବାସୀ ରହୁ ନାହାନ୍ତି।