ପ୍ରାକୃତିକ ବିପର୍ଯ୍ୟୟ ସତର୍କ ସୂଚନା ଦେବ ସାଇରନ୍, ଶୁଭାରମ୍ଭ କଲେ ସିଏମ୍

ଭୁବନେଶ୍ବର  : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ବିପର୍ଯ୍ୟୟର ଢେର୍ ପୂର୍ବର ଏଣିକି ଲୋକଙ୍କୁ ମିଳିବ ସୂଚନା । ସାଇରନ୍ ଦେବ ସତର୍କ ସୂଚନା । ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ସତର୍କତା ଓ ସଚେତନତା ଲାଗି ସୋସିଆଲ୍ ମିଡିଆକୁ ମଧ୍ୟ ବ୍ୟବହାର କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ତିତଲି ଆସିଲା । ଆଉ ନେଇଗଲା ୭୭ ଜୀବନ । ଉପାନ୍ତ ଅଞ୍ଚଳର ଲୋକେ ବର୍ଷା ପବନ ନେଇ ସୂଚନା ପାଇନଥିଲେ । ଏଣିକି ବାତ୍ୟା, ବନ୍ୟା , ସୁନାମୀ ଓ ବଜ୍ରପାତ ପୂର୍ବରୁ ଲୋକଙ୍କୁ ମିଳିବ ସୂଚନା । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଗାଁ ଗାଁ ରେ ବାଜିବ ସାଇରନ୍ । ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନାର ବ୍ୟୟ ଅଟକଳ ୨ଶହ କୋଟି ଟଙ୍କା ।

ଲୋକଙ୍କୁ ବନ୍ୟା ଓ ବାତ୍ୟା ପୂର୍ବ ସୂଚନା ଦେବାକୁ ରାଜ୍ୟର ୧୧୨ଟି ସ୍ଥାନରେ ନିର୍ମାଣ କରାଯାଇଛି ଆଲର୍ଟ ସାଇରନ୍ ଟାୱାର । ସମୁଦ୍ର କୂଳର ୪୮୦ କିଲୋମିଟର ମଧ୍ୟରେ ଏହି ଟାୱାର ପ୍ରତିଷ୍ଠା ହୋଇଛି । ବିପର୍ଯ୍ୟୟ ସମୟରେ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ସମସ୍ତ ଟାୱାର ଦ୍ବାରା ଏକ ସମୟରେ ଲୋକଙ୍କୁ ସୂଚନା ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଏବଂ ସଚେତନତା ଲାଗି ସୋସିଆଲ୍ ମିଡିଆକୁ ବି ସାମିଲ୍ କରାଯାଇଛି । ମୋବାଇଲ SMS ରେ ଦିଆଯିବ ସୂଚନା ।

ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରବର୍ତ୍ତୀ ଥଇଥାନ ଏବଂ ପୁନର୍ଗଠନରେ ଓଡ଼ିଶା ଆଗରେ ଥିବା ବେଳେ ବିପର୍ଯ୍ୟୟ ପ୍ରାକ୍ ସୂଚନା କେନ୍ଦ୍ର ବିପଦ ମୁକାବିଲାରେ ଅଧିକ ସହାୟକ  ହେବ ।