ନିର୍ଦ୍ଦେଶକ ଅରିନ୍ଦମ ସିଲଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ ରୂପଞ୍ଜନା

କୋଲକତା: ମି ଠୁ କୁ ନେଇ ବଲିଉଡ ପରେ ଏବେ ଚର୍ଚ୍ଚାରେ ଟଲିଉଡ୍ । ବଙ୍ଗୀୟ ଟେଲିଭିଜନ ତଥା ଫିଲ୍ମ ଅଭିନେତ୍ରୀ ରୂପଞ୍ଜନା ମିତ୍ର ଖ୍ୟାତନାମା ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ଅରିନ୍ଦମ ସିଲଙ୍କ ନାମରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ ।

ପଶ୍ଚିମବଙ୍ଗର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ଅଭିଯୋଗ ଆଣିଛନ୍ତି ରୂପଞ୍ଜନା । ସେ ଅଭିଯୋଗ କରିଛନ୍ତି ଯେ, ‘ନିର୍ମିତ ହେବାକୁ ଥିବା ଏକ ଟେଲି ଧାରାବାହିକ ‘ଭୂମିକନ୍ୟା’ର ସ୍କ୍ରିପ୍ଟକୁ ପଢ଼ିବା ପାଇଁ ନିର୍ମାତା, ନିର୍ଦ୍ଦେଶକ ଅରିନ୍ଦମ୍‌ ସିଲ୍‌ ମୋତେ ତାଙ୍କ କୋଲକାତାସ୍ଥିତ କାର୍ଯ୍ୟାଳୟକୁ ଡକାଇଥିଲେ। ମୁଁ ଯେତେବେଳେ ଅପରାହ୍ଣ ୫ଟା ବେଳେ ଯାଇ ତାଙ୍କ ଅଫିସ୍‌ରେ ପହଂଚିଲି, ସେତେବେଳେ ସେଠାରେ ତାଙ୍କ ବ୍ୟତୀତ ଆଉ ଅନ୍ୟ କେହି ହେଲେ ନଥିଲେ। ମେତେ ଟିକିଏ ଅଖାଡ଼ୁଆ ଲାଗିଲା। ମୁଁ ପଳାଇ ଆସିବାକୁ ବାହାରିଥିବା ବେଳେ ସେ ମୋତେ ଦେଖିନେଇ ତାଙ୍କ ଚେୟାରରୁ ଉଠି ଆସିଲେ ଓ ମୋତେ ତାଙ୍କ ଚାମ୍ବର ଭିତରକୁ ଡାକିନେଲେ। ଚାମ୍ବର ଭିତରେ ସେ ପ୍ରଥମେ ମୁଣ୍ଡରେ ହାତ ମାରିବା ସହ ପରବର୍ତ୍ତୀ ସମୟରେ ମୋ ଶରୀରର ଅନ୍ୟ ସମ୍ବେଦନଶୀଳ ସ୍ଥାନମାନଙ୍କରେ ହସ୍ତଚାଳନା କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ତେବେ, ମୁଁ ଏହାର ଦୃଢ଼ ପ୍ରତିବାଦ କରିବାରୁ ସେ ମୋ ଠାରୁ ଦୂରେଇ ଯାଇ ସ୍କ୍ରିପ୍ଟ ବାବଦରେ କଥା ହେବାକୁ ଆରମ୍ଭ କରିଦେଲେ। କିନ୍ତୁ, ତାଙ୍କ ହାବଭାବ ମୋତେ ଭଲ ଲାଗୁ ନ ଥିଲା। ଦୁଷ୍କର୍ମର ଶିକାର ହୋଇଯିବାର ଭୟ ମୋତେ ଘାରୁଥିଲା। ସେଥିପାଇଁ ମୁଁ ସେଠାରୁ ଛାଟିପିଟି ହୋଇ ପଳାଇ ଆସିଲି’, ବୋଲି କହିଛନ୍ତି ରୂପଞ୍ଜନା।

ରୂପଞ୍ଜନାଙ୍କ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅରିନ୍ଦମ୍‌ ସିଲ୍‌। ସେ କହିଛନ୍ତି, ‘ରୂପଞ୍ଜନା ମୋର ଜଣେ ପୁରୁଣା ବନ୍ଧୁ। ଏ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଆଧାରହୀନ। କେଉଁ ଉଦ୍ଦେଶ୍ୟରେ ଓ କି ଅଭିସନ୍ଧି ରଖି ସେ ଏ ପ୍ରକାରର ଅଭିଯୋଗ ମୋ ବିରୋଧରେ ଆଣୁଛନ୍ତି, ତାହା ମୁଁ ବୁଝି ପାରୁନାହିଁ।’