ଗାଡ଼ି ଚାଳକ ଦେଖାଇପାରିବେ ଡିଜିଟାଲ କାଗଜପତ୍ର

ଭୁବନେଶ୍ବର : ଗାଡ଼ି ଯାଞ୍ଚ ବେଳେ ଚାଳକମାନେ ବିଭିନ୍ନ ପ୍ରକାର ଦସ୍ତାବିଜ୍‌ ଯଥା ପଞ୍ଜୀକରଣ ପ୍ରମାଣପତ୍ର, ବୀମା, ଫିଟ୍‌ନେସ୍ ଏବଂ ପର୍‌ମିଟ୍, ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ରକୁ ଫିଜିକାଲ୍‌ କିମ୍ବା ଡିଜିଟାଲ ଉପାୟରେ ଅଧିକାରୀମାନଙ୍କୁ ଦେଖାଇପାରିବେ। ୟୁନିଫର୍ମରେ ଥିବା ପୁଲିସ ଅଧିକାରୀ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ବୀକୃତପ୍ରାପ୍ତ ଅନ୍ୟ କୌଣସି ଅଧିକାରୀଙ୍କୁ ଯାଞ୍ଚ ବେଳେ ଆବଶ୍ୟକ କାଗଜପତ୍ରକୁ ଫିଜିକାଲ ଏବଂ ଡିଜିଟାଲ ଉପାୟରେ ଚାଳକମାନେ ଦେଖାଇ ପାରିବେ। ଜନସାଧାରଣଙ୍କ ସୁବିଧା ପାଇଁ ଏହା କରାଯାଇଛି। କେନ୍ଦ୍ରୀୟ ମୋଟର ଯାନ ନିୟମରେ ଏ ସଂକ୍ରାନ୍ତ ସଂଶୋଧନ କରାଯାଇଛି। ୨୦୧୮ ନଭେମ୍ବର ୨ ତାରିଖରେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପରୋକ୍ତ ନିୟମକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀମାନଙ୍କୁ ନିୟମର ସଂଶୋଧନ ସମ୍ପର୍କରେ ସଚେତନ କରିବା ପାଇଁ ଗତବର୍ଷ ନଭେମ୍ବର ୧୮ ତାରିଖରେ ରାଜ୍ୟ ଗୁଡ଼ିକର ପୁଲିସ ମହାନିର୍ଦ୍ଦେଶକ, ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ/ ସଚିବ, ପରିବହନ କମିସନରମାନଙ୍କୁ ଏହି ମର୍ମରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ଚିଠି ଲେଖାଯାଇଛି। ନାଗରିକମାନେ ଯେଭଳି ଅସୁବିଧାରେ ନପଡ଼ନ୍ତି ଏବଂ ହଇରାଣ ନହୁଅନ୍ତି ସେଥିପାଇଁ ଏହି ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।