ଭୁବନେଶ୍ୱର: ଔଦ୍ୟୋଗୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ନିରନ୍ତର ପ୍ରୟାସର ଅନ୍ୟ ଏକ ପରିଚ୍ଛେଦ ଭାବରେ ଓଡ଼ିଶା ସରକାର ୩ଟି ନିବେଶ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ୧୭୮୩୩କୋଟି ଟଙ୍କାର ନିବେଶ ହେବା ସହିତ ୬୫୩୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନର ସମ୍ମିଳନୀ ପକ୍ଷରେ ହୋଇଥିବା ଏକ ବୈଠକରେ ଉଚ୍ଚସ୍ତରୀୟ ଅନୁମୋଦନ କର୍ତୃପକ୍ଷ(ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି) ଆଲୁମିନିୟମ, ଇସ୍ପାତ ଏବଂ ତାପଜ ବିଦ୍ୟୁତ୍ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ କରି ସର୍ବମୋଟ ୩ଟି ପ୍ରସ୍ତାବକୁ ସ୍ୱୀକୃତି ଦେବ ସହିତ ଏହିସବୁ କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ସ୍ଥାନକୁ ଆହୁରି ସୁଦୃଢ଼ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ମେକ ଇନ୍ ଓଡ଼ିଶା ୨୦୧୬ ଏବଂ ମେକ ଇନ୍ ଓଡ଼ିଶା ୨୦୧୮ରେ ପ୍ରାପ୍ତ ହୋଇଥିବା ନିବେଶ ପ୍ରସ୍ତାବ ଗୁଡିକର ସମୀକ୍ଷା କରିଥିଲେ । ବିଗତ ବର୍ଷ ଗୁଡିକରେ ଓଡ଼ିଶାର ଶିଳ୍ପାୟନ ଉଦ୍ୟମରେ ବିବିଧତାର ସମ୍ଭାବନା ଦେଖିବାକୁ ମିଳିଛି । ରସାୟନ ଏବଂ ପେଟ୍ରୋକେମିକାଲ କ୍ଷେତ୍ର, ପର୍ଯ୍ୟଟନ, ବସ୍ତ୍ର ତଥା ପରିଧାନ ଉଦ୍ୟୋଗ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିବିଧ କ୍ଷେତ୍ରରେ ଶିଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେବା ଦିଗରେ ଅଗ୍ରଗତି ହୋଇଛି । ରାଜ୍ୟର ପ୍ରମୁଖ ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା ମେକ୍ ଇନ୍ ଓଡ଼ିଶା ୨୦୨୦ର ସଫଳତା ନିମନ୍ତେ ଏକ ଯୋଜନାର ବାଖ୍ୟାକଲେ ଯେଉଁଥିରେ ଶିଳ୍ପ ନିମନ୍ତେ ଉପଯୁକ୍ତ ଭିତିଭୂମି, ଉପଯୁକ୍ତ ଯୋଜନା ଏବଂ ଏହା ସବୁର ପ୍ରସାରଣ ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବାର ଉଦ୍ୟମ ଅନ୍ତର୍ଭୁକ୍ତ ।
ଉଚ୍ଚସ୍ତରୀୟ ଅନୁମୋଦନ କର୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ପ୍ରସ୍ତାବ ମଧ୍ୟରେ ରହିଛି ହିନ୍ଦାଲକୋ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଦ୍ୱାରା ରାୟଗଡା ଜିଲ୍ଲାର କାନସାରିଗୁଡାଠାରେ ବର୍ଷକୁ ୨୦ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନରୀ ପ୍ରକଳ୍ପ । ଏହା ୮୦୦୦କୋଟି ଟଙ୍କା ବ୍ୟୟରେ ସ୍ଥାପିତ ହେବ ଏବଂ ୪୨୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏନଟିପିସି ଲିମିଟେଡ୍ ର ଅନୁଗୋଳ ଜିଲ୍ଲାର ତାଳଚେରଠାରେ ଥିବା ତାଳଚେର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ସମ୍ପ୍ରସାରଣ ପ୍ରସ୍ତାବ ମଧ୍ୟ କର୍ତୃପକ୍ଷଙ୍କର ଅନୁମୋଦନ ଲାଭ କରଛି । ଏଠାରେ ୭୬୯୮.୪୬କୋଟି ନିବେଶର ପ୍ରସ୍ତାବ ରହିଛି ।
କର୍ତୃପକ୍ଷ ଏହା ସହିତ ରୁଙ୍ଗଟା ମାଇନ୍ସ ଲିମିଟେଡର ସୁନ୍ଦରଗଡ ଜିଲ୍ଲାର କମଣ୍ଡା ଗ୍ରାମରେ ଥିବା ୨.୭ଲକ୍ଷ ଟନ ବାର୍ଷିକ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ୍ ଉତ୍ପାଦନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହି ସମ୍ପ୍ରସାରଣରେ ୨୧୩୫କୋଟି ଟଙ୍କାର ପ୍ୟୁ୍ଜି ନିବେଶ ହୋଇ ୨୨୮୯ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଉଦ୍ୟୋଗର ବାର୍ଷିକ ଉତ୍ପାଦନ କ୍ଷମତା ୯ଲକ୍ଷ ଟନକୁ ବୃଦ୍ଧି ପାଇବ ।