ହାତୀ ମୃତ୍ୟୁର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ, ସେସୁର ୫ ଅଧିକାରୀଙ୍କ ନାମରେ ମାମଲ

ଭୁବନେଶ୍ୱର : ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ମେରାମଣ୍ଡଳୀ ଫରେଷ୍ଟ ସେକସନ ଅନ୍ତର୍ଗତ କମଳାଙ୍ଗ ମାଳିସାହିଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶ ଆସି ୮ଟି ହାତୀ ପ୍ରାଣ ହରାଇବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହିତ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଏସପି ଏସ୍ ସମ୍ପଥଙ୍କ ନେତୃତ୍ୱରେ ଡିଏସପି ଦେବଦତ୍ତ ବିଶ୍ୱଜୀବନ ମିଶ୍ରଙ୍କ ସମେତ ଏକ ପାଞ୍ଚ ଜଣିଆ ଟିମ କମଳାଙ୍ଗରେ ପହଞ୍ôଚ ଅନୁସନ୍ଧାନ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ ପ୍ରଥମେ ଢେଙ୍କାନାଳରେ ପହଞ୍ôଚ ଡିଏଫଓଙ୍କ ସମେତ ବନ ବିଭାଗ ଅଧିକାରୀଙ୍କୁ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରିଛନ୍ତି । ପରେ ଏହି ଟିମ କମଳାଙ୍ଗ ଯାଇ ଘଟଣାସ୍ଥଳରେ ତଦନ୍ତ କରିଥିଲେ । ସେଠାରେ ଯାଇଥିବା ୧୧ କେଭି ବିଦ୍ୟୁତ ବିଦ୍ୟୁତ ଖୁଣ୍ଟ ଓ ତାରର ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଛନ୍ତି ।

କ୍ରାଇମବ୍ରାଞ୍ଚ ଏସପିଙ୍କ ନେତୃତ୍ୱରେ ଆସିଥିବା ଟିମ ଅଧିକ ତଥ୍ୟ ସଂଗ୍ରହ କରିବ । କ୍ରାଇମବ୍ରାଞ୍ଚ ପକ୍ଷରୁ କେସ ନଂ ୨୩/୧୮ରେ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି । ହାତୀ ମୃତ୍ୟୁ ନେଇ ଗତକାଲିର ଏହି ଅଭାବନୀୟ ଘଟଣାରେ ସେସୁ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର ନରେଶ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ ଓ ମେରାମଣ୍ଡଳୀ ଲାଇନ ମ୍ୟାନ ଫିରୋଜ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଥିଲା । ବିଭାଗୀୟ ଜୁନିୟର ଇଞ୍ଜିନିୟର ସଞ୍ଜୟ କୁମାର ମହାନ୍ତିଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

ଅପରପକ୍ଷରେ ବନ ବିଭାଗର ସଦର ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳୀ ସେକସନ ଫରେଷ୍ଟର ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ମଧ୍ୟ ନିଲମ୍ବିତ କରାଯାଇଛି । ମୃତ ହାତୀଗୁଡ଼ିକୁ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ପୋତି ଦିଆଯାଇଛି । ଜଙ୍ଗଲ ବିଭାଗର ସୂଚନା ଅନୁସାରେ ଜିଲ୍ଲାର ଜଙ୍ଗଲ ତଥା ସମ୍ବେଦନଶୀଳ ଅଞ୍ଚଳରେ ୧୩୬.୫୭ କିଲୋମିଟର ଅଞ୍ଚଳ ଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ସରବରାହ ତାର ମୁକୁଳା ଅବସ୍ଥାରେ କମ୍ ଉଚ୍ଚତାରେ ଟଣାଯାଇଥିବା ନେଇ ସେସୁ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ଏ ବାବଦରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଢେଙ୍କାନାଳ ଡିଏଫଓ ସେସୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । ଜଙ୍ଗଲ ଅଞ୍ଚଳରେ କିଭଳି ବିଜୁଳି ତାର ଟଣାଯିବ ସେ ନେଇ ସ୍ୱତନ୍ତ୍ର ନିୟମାବଳୀ ଥିବା ବେଳେ ଏହାକୁ ବିଜୁଳି ବ ଦଫା ୧୬୬, ୪୨୯, ୩୪ ତଥା ୧୪୬ ଇଲେକ୍ଟ୍ରିକସିଟି ଆକ୍ଟରେ ମକଦ୍ଦମା ରୁଜୁ କରାଯାଇଛି । ଏସଡିପିଓ ଶେଖ ଅବଦୁଲ କରିମ ସୂଚନା ଦେଇ କହିଛନ୍ତି ଯେ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯିବ ।