କମ ଖର୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଳ୍ପ ଖର୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି ବରଂ ଉଭୟଙ୍କୁ ଏକା ସଙ୍ଗେ ହାସଲ କରି ହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ ନେତୃମଣ୍ଡଳୀ ସହିତ ଆଲୋଚନା ବେଳେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆଲୋଚନାରେ ଇସ୍ପାତ ଶିଳ୍ପରେ ଭାଗିଦାରୀ ସଂସ୍କୃତିକୁ ମଜବୁତ କରିବା ପାଇଁ ଅନେକ ସକାରାତ୍ମକ ଓ ଗଠନ ମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ଟ୍ରେଡ ୟୁନିୟନର ପ୍ରତିନିଧି ମାନେ ଶ୍ରମିକ କଲ୍ୟାଣ, ମାନବ ସମ୍ବଳର ସୁବିନିଯୋଗ, ଦକ୍ଷତା ବିକାଶ, ସୁରକ୍ଷା, ବାସଗୃହ, ସବୁ ବୟସର ଶ୍ରମିକଙ୍କ ଉପସ୍ଥିତି, ମଜୁରୀର ରିଭିଜନ ପ୍ରସଙ୍ଗରେ ଚର୍ଚା ହୋଇଥିଲା । ଉପସ୍ଥିତ ଟ୍ରେଡ ୟୁନିୟନ ପ୍ରତିନିଧି ମାନେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଶ୍ରମିକ ମାନଙ୍କ ନିକଟତର ହେବାକୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ଗତ ମାସରେ ବୋକାରୋ ଷ୍ଟିଲ ପ୍ଲାଂଟ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ କର୍ମଚାରୀ ମାନଙ୍କର ସ୍ୱାର୍ଥ ରକ୍ଷା ସହ ପ୍ରବନ୍ଧନ ଓ କର୍ମଚାରୀ ମାନଙ୍କ ମଧ୍ୟରେ ସହବନ୍ଧନ ମାଧ୍ୟମରେ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସ୍ଥାୟୀ ଓ ଠିକା ଉଭୟ କର୍ମଚାରୀଙ୍କୁ ଡିଜିଟାଲ ରାସ୍ତାରେ ଦେୟ ପ୍ରଦାନ କରା ଯିବା ସହ ପାରଦର୍ଶିତା ରକ୍ଷା କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତ ଶିଳ୍ପର ଟାଉନସିପ ସମସ୍ତ ନାଗରିକଙ୍କ ସହିତ ସ୍ମାର୍ଟ ସିଟି ମାନର ହେବା ଜରୁରୀ । ସେଲ ଦ୍ୱାରା ପ୍ରଦାନ କରା ଯାଉଥିବା ସ୍ୱାସ୍ଥ୍ୟ ସେବା ସୁବିଧା ଆଗାମୀ ଦିନରେ ଚାଲୁ ରହିବା ସହ ଏହାକୁ ଆଧୁନିକୀକରଣ କରା ଯିବ ।