ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ପ୍ରତାପ ଏବଂ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଦୁଇ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ | ଗୁରୁବାର କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ ଧର୍ମେନ୍ଦ୍ର ଓ ପ୍ରତାପ | ସେମାନଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଯାଇଥିଲେ |

ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ | ଦୁଇ ମନ୍ତ୍ରୀ କେଉଁ ବିଭାଗ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସୁନ୍ଦରଗଡ ଲୋକସଭା ସାଂସଦ ଜୁଏଲ ଓରାମଙ୍କୁ ଭେଟିଥିଲେ ଉଭୟ ଧର୍ମେନ୍ଦ୍ର ଓ ପ୍ରତାପ | ଜୁଏଲଙ୍କୁ ମିଠା ଖୁଆଇବା ସହ, ଜୁଏଲ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ |ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ନବୀନ ଟ୍ୱିଟରରେ ଲେଖିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଦୁହିଁଙ୍କୁ ଅଭିନନ୍ଦନ | ଓଡ଼ିଶାର ସ୍ୱରକୁ କେନ୍ଦ୍ର ପାଖରେ ପହଞ୍ଚାଇବାକୁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ |