ବିଶ୍ୱବିଦ୍ୟାଳୟ ବିଲ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦କୁ କାର୍ଯ୍ୟକ୍ଷମ ନକରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଠି ଲେଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଲେଖିଥିବା ଚିଠିରେ କହିଛନ୍ତି ଯେ, ଏହି ବିଲରେ ସଂଶୋଧନକୁ ରାଜ୍ୟର ବୃହତ୍ତର ଶୈକ୍ଷିକ ସମାଜ ବିରୋଧ କରୁଥିବାବେଳେ ଏହି ବିଲ୍ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଓ ୟୁଜିସି ନିୟମାବଳୀର ଦୃଢ଼ ବିରାଧାଚରଣ କରୁଛି। ତେଣୁ ରାଜ୍ୟର ଛାତ୍ର, ଶିକ୍ଷକ, ଗବେଷକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ୱାର୍ଥ ରକ୍ଷା ପାଇଁ ଏହି ବିଲକୁ ଉଚ୍ଛେଦ କରିବା ନିମନ୍ତେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ବିଲରେ ସଂଶୋଧନ କରି ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟର ନୀତି ନିର୍ଦ୍ଧାରକ ସିନେଟ୍ ବ୍ୟବସ୍ଥାକୁ ସମାପ୍ତ କରିବା ସହ ଏହା ସ୍ଥାନରେ ସରକାରଙ୍କ ନିୟନ୍ତ୍ରିତ ସିଣ୍ଡିକେଟ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଚତୁରତାର ସହ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପ୍ରତିନିଧି ରଖିବା ସହ ଚୟନ କମିଟିରେ ଅଣଏକାଡେମିକ୍ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ବିଶ୍ୱବିଦ୍ୟାଳୟର ଆୟବ୍ୟୟ ବିବରଣୀ ସାମ୍ବିଧାନିକ ବ୍ୟବସ୍ଥା ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବାର ବ୍ୟବସ୍ଥାକୁ ବି ବନ୍ଦ କରି ଦିଆଯିବା ଦ୍ୱାରା ସାଧାରଣ ଲୋକଙ୍କ ଅର୍ଥ ଖର୍ଚ୍ଚର ସଠିକ୍ ସମୀକ୍ଷା ହୋଇପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।