ଇଟିଲି ବିକାଳୀଙ୍କ ଘରେ ସଂଯୋଗ କରାଇଲେ ଏଲପିଜି ଗ୍ୟାସ୍, ହୃଦୟ ଜିତିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର କୋଏମ୍ବାଟୁରର ଏକ ଗାଁରେ ଇଟିଲି ବିକ୍ରି କରୁଥିବା କମଳାଥାଲ ନାମ୍ନୀ ଜଣେ ବୃଦ୍ଧା ମହିଳା ଉଦ୍ୟୋଗୀଙ୍କୁ ଏଲପିଜି ଗ୍ୟାସ୍ ସଂଯୋଗ ଦେଇ ଟ୍ୱିଟରରେ କୋଟିକୋଟି ଭାରତର ଜନସାଧାରଣଙ୍କ ହୃଦୟ ଜିତିଛନ୍ତି ।

ସୂଚନାନୁସାରେ, କମଳାଥାଲ କୋଏମ୍ବାଟୁରର ଏକ ଗାଁରେ ବାସ କରି ଇଟିଲି ବିକ୍ରି କରନ୍ତି । ଗାଁର ଗରିବ ଲୋକ ମାନଙ୍କ ପାଇଁ ସେ ଶସ୍ତାରେ ବା ୧ଟଙ୍କାରେ ଇଟିଲି ବିକ୍ରି କରି ଖାଇବାକୁ ଦେଉଛନ୍ତି । ଏହା ଚର୍ଚ୍ଚାର ପରିସରକୁ ଆସିବା ପରେ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ପୃଷ୍ଠାରେ ଏ ସମ୍ପର୍କରେ ଅବଗତ କରାଇଥିଲେ । ବୃଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଇଟିଲି ପ୍ରସ୍ତୁତି ପାଇଁ ବୃଦ୍ଧା ଜଣକ ଆଜି ମଧ୍ୟ କାଠ ଚୂଲା ବ୍ୟବହାର କରୁଥିବା ସମସ୍ତଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ ।   ଅଷ୍ଟମ ଏସୀୟ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରରେ ଏ ସମ୍ପର୍କରେ ଜଣିବା ପରେ କାର୍ଯ୍ୟବ୍ୟସ୍ତ ସତ୍ୱେ ସମୟ ବାହାର କରି ମନ୍ତ୍ରାଳୟର ଅଧିକାରୀ ମାନଙ୍କୁ କମଳାଥାଲଙ୍କୁ ଏଲପିଜି ଗ୍ୟାସ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ତତକ୍ଷଣାତ୍ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ।

ଟ୍ୱିଟରରେ କମଳାଥାଲ  ଏଲପିଜି ଗ୍ୟାସ ଗ୍ରହଣ କରୁଥିବା ସମ୍ପର୍କିତ ଫୋଟକୁ ସେୟାର କରି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ କମଳାଥାନଙ୍କ ଆତ୍ମବିଶ୍ୱାସ ଓ ପ୍ରତିଶ୍ରୁତିକୁ ମୁଁ ସାଲ୍ୟୁଟ୍ କରୁଛି । ସ୍ଥାନାୟୀ ଓଏମସି ଅଧିକାରୀଙ୍କ ସହଯୋଗରେ ସେ ଏଲପିଜି ସଂଯୋଗ ପାଇପାରିଛନ୍ତି  । ସମାଜ ନିଶ୍ଚିତ ଭାବେ ଏପରି ପରିଶ୍ରମ କରୁଥିବା ଲୋକଙ୍କୁ ସଶକ୍ତ କରିବାର ଆବଶ୍ୟକତା ଅଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।