ନବୀନଙ୍କ ପାଖରେ ନାହିଁ ଗତ ୧୯ ବର୍ଷର ହିସାବ ଏବଂ ଆଗାମୀ ୫ ବର୍ଷର ତାଲିକା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ଶାସନରେ ଥିବା ବିଜେଡି ଓ ଏହାର ମୁଖିଆ ନବୀନ ପଟ୍ଟନାୟକଙ୍କର ଚଳିତ ନିର୍ବାଚନରେ ଲୋକମାନଙ୍କ ସାମ୍ନାରେ କୌଣସି ପ୍ରସଙ୍ଗ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଧରି ଲମ୍ବା ସମୟ ଶାସନ କ୍ଷମତା ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା, କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚେଇବା, ମୋଦିଙ୍କ ବିରୋଧରେ ବିତୁଷ୍ଣା ତିଆରି କରିବା ଛାଡି କୌଣସି ନିର୍ବାଚନର ପ୍ରସଙ୍ଗ ନାହିଁ ।  ୧୯ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ଓଡିଆ ଲୋକଙ୍କ ପାଇଁ କଣ କରିଛନ୍ତି ନିର୍ବାଚନୀ ପ୍ରଚାରରେ ମୁଖ୍ୟମନ୍ତ୍ରୀ ଏହାର ହିସାବ ମତଦାତାଙ୍କ ସାମ୍ନାରେ ରଖୁନାହାନ୍ତି । ଆଗାମୀ ୫ ବର୍ଷରେ ନିର୍ବାଚିତ ହେଲେ କଣ କରିବେ ତାର ବି ତାଲିକା ଲୋକମାନଙ୍କ ସାମ୍ନାରେ ରଖୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଓ ଦଳର ପ୍ରଚାର ସାମଗ୍ରୀରୁ ବୁଝାପଡୁଛି ସତେ ଯେମିତି ଓଡିଶାରେ କେବଳ ଲୋକସଭା ପାଇଁ ନିର୍ବାଚନ ହେଉଛି । ୧୯ ବର୍ଷ ଶାସନ ପରେ ମଧ୍ୟ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ମୁନ୍ଦେ ମିଳୁନାହିଁ, ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ସ୍କୁଲରେ ଶିକ୍ଷକ ନାହାଁନ୍ତି, ବେରୋଜଗାରୀ ବଢିଛି, ଦୁର୍ନୀତି ବଢିଛି, ମୁଖ୍ୟମନ୍ତ୍ରୀଙ୍କ ନାକତଳେ ମହିଳା ଅତ୍ୟାଚାର ବଢିଚାଲିଛି । ଏ ସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ମୁହଁ ଖୋଲିନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।  

ଏଥର ଓଡିଶାର ଜନସାଧାରଣ ମୋଦିଙ୍କ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଉଭୟେ ଏମପି ଓ ଏମଏଲଏ ପାଇଁ ବିଜେପିକୁ ଭୋଟ ଦେବେ । ଲୋକଙ୍କ ଆଶୀର୍ବାଦ ଓ  ଭରସା  ନରେନ୍ଦ୍ର ମୋଦିଙ୍କ ଉପରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।