ପ୍ରଥମ ପର୍ଯ୍ୟାୟ ଭୋଟରେ ରାଜ୍ୟରେ ପରିବର୍ତନର ସ୍ୱର ସ୍ପଷ୍ଟ ହୋଇଛି:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :ଶାସକ ଦଳର ପାଦ ତଳୁ ମାଟି ଖସିଯାଉଥିବା କାରଣରୁ ରକ୍ତମୁଖା ହୋଇଉଠିଛି । ବିଭିନ୍ନ ସ୍ଥାନରେ ହିଂସାର ଉପାୟକୁ ଅବଲମ୍ବନ କରିବା ସେମାନେ ଆରମ୍ଭ କରିଛନ୍ତି । ତେବେ ପ୍ରଜାତନ୍ତ୍ରରେ ଭୋଟଦାନରୁ ବଡ ଅଧିକାର କିଛି ନାହିଁ । ନିଜର ମତକୁ ଅବ୍ୟବସ୍ଥା ଅତ୍ୟାଚାରୀ ଲୋକଙ୍କ ବିରୋଧରେ ନିର୍ଣ୍ଣାୟକ ସ୍ତରକୁ ନେଇ ସେମାନଙ୍କୁ ଉଚିତ ଜବାବ ଦେବାକୁ ପଡିବ ବୋଲି ଓଡିଶାର ଭାଇ ଭଉଣୀଙ୍କୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟରେ ରାଜ୍ୟରେ ପରିବର୍ତନର ସ୍ୱର ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗତକାଲି ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଛି । ବଡ ଉତ୍ସାହର ସହ ଯୁବପୀଢି ଓ ମା’ ଭଉଣୀ ଓ ଗୁରୁଜନମାନେ ଭୋଟ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ଏହି ବଡ ପ୍ରଜାତନ୍ତ୍ରରେ ସମସ୍ତେ ସାମିଲ ହୋଇଛନ୍ତି । ଏଥର ଓଡିଶାରେ ଭୋଟ ଚିଟ୍ଫଣ୍ଡ ଲୁଟେରା ମାନଙ୍କୁ ଜେଲ୍ ପଠାଇବା ପାଇଁ ହୋଇଛି, ଓଡିଶାର ଲୋକମାନେ ଦାଦନ ଖଟିବାକୁ ନଯାଇ ଏଠାରେ ରୋଜଗାର ବଢାଇବା ପାଇଁ ହୋଇଛି, ମା’ଭଉଣୀ ମାନଙ୍କର ସୁରକ୍ଷା ବଢେଇବା ଓ ଅତ୍ୟାଚାରୀମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଭୋଟ ହୋଇଛି । ନୂଆ ଆଶା, ନୂଆ ଆକାଂକ୍ଷା ପାଇଁ ଭୋଟ ହୋଇଛି, ନୂଆ ଓଡିଶା ଓ ନୂଆ ଭାରତ ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଓଡିଶା ରହିବ ଏଥିପାଇଁ ଭୋଟ ହୋଇଛି । ନବୀନ ବାବୁଙ୍କ ୧୯ ବର୍ଷର ଅପାରଗତା, ଅବ୍ୟବସ୍ଥା, ସମ୍ବେଦନହୀନତା, ରାଧୁଆମିଛୁଆ କାହାଣୀକୁ ଶେଷ କରିବା  ପାଇଁ ଏଥର ଭୋଟ ହୋଇଛି ।  

ସେ ଆହୁରି କହିଛନ୍ତି ଯେ, ଭୋଟ ଦେଇ ନୂଆ ଓଡିଶା ଗଢିବା ପାଇଁ ପଡିବ । ଡବଲ ଇଞ୍ଜିନର ସରକାର ଦିଲ୍ଲୀ ଓ ଭୁବନେଶ୍ୱରରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ କରି ଓଡିଶାର ବିକାଶକୁ ଆହୁରି ଗତି ଦେବାକୁ ପଡିବ ।