ଗଣତନ୍ତ୍ରର ଉତ୍ସବରେ ସମସ୍ତେ ମତଦାନ କରନ୍ତୁ:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗଣତନ୍ତ୍ରର ଉତ୍ସବରେ ସମସ୍ତେ ମତଦାନ ସାବ୍ୟସ୍ତ କରନ୍ତୁ । ବିଶେଷ ଭାବରେ ଯୁବପୀଢି ଏହାର ନେତୃତ୍ୱ ନେଉ । ଆପଣଙ୍କ ଭୋଟ ଦେଶକୁ ସୁରକ୍ଷିତ ରଖିବ, ଦେଶରେ ରୋଜଗାର ବଢାଇବ, ମହିଳା ମାନଙ୍କୁ ସୁରକ୍ଷିତ ରଖିବ, ଗାଁରେ ପିଇବା ପାଣି ପହଁଚାଇବ, ଶିକ୍ଷାର ମାନ ବଢାଇବ, ଉଦ୍ୟମିତା ବଢାଇବ, ମାନ ସମ୍ମାନ ବଢାଇବ ଏବଂ ନୂଆ ଓଡିଶା ଓ ନୂଆ ଭାରତ ଗଢିବାରେ ସହାୟକ ହେବ ବୋଲି ସାମାଜିକ ଗଣମାଧ୍ୟମରେ ଗୁରୁବାର ଓଡିଶାରେ ଅନୁଷ୍ଠିତ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭାର ଜନତାଙ୍କୁ ଭୋଟ ଦେବାକୁ ଅନୁରୋଧ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଓଡିଶାର  ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ  କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅଧୀନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉତ୍ସାହର ସହ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଜାତନ୍ତ୍ରର ଏହି ମହାପର୍ବରେ ଲୋକମାନେ ସାମିଲ ହେବା ଆରମ୍ଭ କଲେଣି । ଏହି ପ୍ରଜାତନ୍ତ୍ରରେ ଅଧିକ ଭୋଟରଙ୍କ ସର୍ବାଧିକ ଯୋଗଦାନ ରାଜ୍ୟ ଓ ଦେଶକୁ ଆଗକୁ ବଢାଇବ ବୋଲି କହିବା ସହ ନିରପେକ୍ଷ, ସଠିକ୍, ଭବିଷ୍ୟତ ଓ ନୂଆପୀଢିଙ୍କୁ ଦେଖି ଲୋକମାନେ ଭୋଟ ଦେବାକୁ ସେ ଆହ୍ୱାନ କରିଛନ୍ତି । 

ସେ ଆହୁରି କହିଛନ୍ତି ଯେ, ବିଶେଷ କରି ନୂତନ ଭୋଟରମାନେ ଏହି ମତଦାନରୁ ବାଦ ନପଡିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱରେ ଭାରତକୁ ୧ ନମ୍ବର ଓ ଦେଶରେ ଓଡିଶାକୁ ୧ ନମ୍ବର ଏବଂ ନିଜ ଅଂଚଳର ବିକାଶ କରିବା ପାଇଁ ଲୋକମାନଙ୍କର ଅଧିକ ଓ ଉତ୍ସାହର ଭୋଟ ପ୍ରଜାତନ୍ତ୍ରକୁ ଆହୁରି ମଜବୁତ କରିବ । ବିଶେଷତଃ ଯୁବପିଢୀମାନଙ୍କ ଭୋଟ ବହୁତ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି ।