ଦେଶ ପ୍ରତି ଥିବା ଅବଦାନ ବାଜପେୟୀଙ୍କୁ ଚିରସ୍ମରଣୀୟ ରଖିବ: ଧର୍ମେନ୍ଦ୍ର ପ୍ରଧାନ

ଅଟଳବିହାରୀ ବାଜପେୟୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ/ଭୁବେନଶ୍ୱର: ରାଷ୍ଟ୍ରବାଦୀ, ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ଜଣେ ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ପ୍ରତି ଥିବା ତାଙ୍କର ଅବଦାନ ଯୋଗୁଁ ସେ ଚିରସ୍ମରଣୀୟ ହୋଇରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡିଶା ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ତନ୍ମଧ୍ୟରୁ ଭୁବନେଶ୍ୱର ଏମ୍ସ ବାଜପେୟୀଙ୍କ ଅବଦାନ ଥିଲା । ସ୍ୱାଧୀନତା ପରେ ରାଜ୍ୟରେ ମାତ୍ର ୧୬୦୦ କିଲୋମିଟର ଜାତୀୟ ରାଜପଥ ହୋଇଥିବା ବେଳେ ତାଙ୍କ ସମୟରେ ଆଉ ୧୬୦୦ କିଲୋମିଟର ଜାତୀୟ ରାଜପଥ ଓଡିଶାରେ ହୋଇଥିଲା । ସେହିପରି ୧୯୯୯ ମହାବାତ୍ୟାରେ ଓଡିଶା ପରେ ଓଡିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବାଜପେୟୀ ବଜ୍ର ଘୋଷଣା କରିଥିଲେ । ଆଦର୍ଶ, ନୀତି ଏବଂ ବ୍ୟବହାରର ଶିଖରରେ ରହିଥିବା ସ୍ୱର୍ଗତ ବାଜପେୟୀଙ୍କ ସାରା ଜୀବନ ରାଷ୍ଟ୍ରର ମଙ୍ଗଳ ପାଇଁ ସମର୍ପିତ ରହିଥିଲା । ତାଙ୍କର ଅଟଳ ବ୍ୟକ୍ତିତ୍ୱ ଏବଂ ବିଚାର ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।