ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ଲାବରୋଟୋରି ହେବ: ଧର୍ମେନ୍ଦ୍ର ପ୍ରଧାନ

ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର୍ ଆଣ୍ଡ୍ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଂଟ୍ ଆଣ୍ଡ୍ ଡିପ୍ଲୋଏମେଟ୍ ସେଂଟରର ଦ୍ୱିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ୱିତୀୟ ଆର ଏବଂ ଡି ସେଂଟର ଆଗାମୀ ଦିନରେ ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜବାର ଲାବରୋଟୋରି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଇଣ୍ଡିଆନ ଅଏଲର ଆର୍ ଆଣ୍ଡ୍ ଡି ସେଂଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଅଛି । ଆର ଆଣ୍ଡ ଡି ସେଂଟର ଆତ୍ମନିର୍ଭର ଭାରତର ଚାବିକାଠି । ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିୟାଣା ବଡ ଭୂମିକା ନେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ସାମାଜିକ-ଅର୍ଥନୈତିକ ଏବଂ ବିକାଶ ମ୍ୟାପରେ ହରିୟାଣା ଅତୁଳନୀୟ ପ୍ରଦର୍ଶନ କରିଛି । ରାଜ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଉଥିବାରୁ ଏବଂ ହରିୟାଣା ଭଳି ରାଜ୍ୟ କିରୋସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ହରିୟାଣା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।

ହରିୟାଣାକୁ ଦେଶର ଗବେଷଣା ଏବଂ ବିକାଶର ପେଣ୍ଠସ୍ଥଳି ଭାବେ ନେତୃତ୍ୱ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ବୈଶ୍ୱିକ ମାହମାରୀ କରୋନା ଭଳି ସଂକଟ ସମୟରେ ଦେଶ ୧୫୦ଟି ଦେଶକୁ ହାଇଡ୍ରୋକ୍ଲୋରୋକଇନ ଔଷଧ ପଠାଇ ବଡ ଭୂମିକା ଗ୍ରହଣ କରିଛି । ଦେଶରେ ପେଟ୍ରୋକେମିକାଲର ଆବଶ୍ୟକତା ବୃଦ୍ଧି ପାଉଛି ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମଦାନୀ ହ୍ରାସ କରିବାକୁ ଯୋଜନା କରାଯାଉଛି । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ପେଟ୍ରୋକେମିକାଲ୍ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଶିଳ୍ପସଂସ୍ଥା ଗୁଡିକୁ ଆହ୍ୱାନ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ବର୍ଜ୍ୟରୁ ଉର୍ଜା ପ୍ରସ୍ତୁତ କରିବା ପାଇଁ ଗୋଷ୍ଠୀ ଆଧାରିତ ମଡେଲ୍ ଉପରେ ଅଧିକ ଗୁରୁତ୍ୱଦେବାକୁ ଇଣ୍ଡିଆନ ଅଏଲକୁ ଆହ୍ୱାନ କରିଥିଲୋ