ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂଆ ଶିଖରକୁ ନେବ: ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲି

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦି ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂତନ ଶିଖରକୁ ନେବ ବୋଲି ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକି ସାଥ୍‌, ସବକି ବିକାଶ ଓ ସବକି ବିଶ୍ୱାସର ମନ୍ତ୍ର ନେଇ ମୋଦି ସରକାର କାମ କରୁଛନ୍ତି । ଦେଶର ଗରିବ, ମହିଳା, ଯୁବକ, କୃଷକ ମୋଦିଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇ ପାରିଛନ୍ତି । ଗରିବଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଆବାସରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଯାଇଛି । ଗରିବଙ୍କ କଲ୍ୟାଣ କରିବା ମୋଦି ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି । ଏହି କାରଣରୁ ପଶ୍ଚିମବଙ୍ଗରେ ମୋଦିଙ୍କ ଲୋକପ୍ରିୟତା ବଢିଛି ବୋଲି ସେ କହିଛନ୍ତି ।

ଦେଶବାସୀଙ୍କୁ ପାଇଁ କରୋନା ଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ତିନିମାସ ପାଇଁ ମାଗଣାରେ ବ୍ୟକ୍ତି ପିଛା ମାସିକ ୫ କେଜି ଚାଉଳ, ପରିବାର ପିଛା ୧ କେଜି ଡାଲି, ଉଜ୍ଜଳା ଯୋଜନାରେ ଗ୍ୟାସ, ଜନଧନରେ ମହିଳାଙ୍କୁ ଟଙ୍କା, କୃଷକ ସମ୍ମାନ ନିଧିରେ ମାସକୁ ୨ ହଜାର ଟଙ୍କା ସମେତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି । ସେହିପରି ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୋରନା ଭଳି ଘଡିସନ୍ଧି ମୁହୂର୍ତରେ ଚାଷ କର୍ଯ୍ୟକୁ ସ୍ୱୀକୃତି ଦିଆଯାଇଛି । ମୋଦି ସରକାରରେ ଦେଶର ସୀମା ସୁରକ୍ଷିତ ହୋଇଛି । ଶତ୍ରୁକୁ ପରାଜିତ କରିବା ପାଇଁ ସୈନିକମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ମୋଦିଙ୍କ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଁଚାଇବା ପାଇଁ ଆହ୍ୱାନ କରିଥିଲେ ।