ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ଓଡିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତା

ନୂଆଦିଲ୍ଲୀ/ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫେସବୁକରେ ଏକ ଭିଡିଓ ବାର୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ଅମ୍ଫାନ ଦାନା ବାନ୍ଧିବା ଆରମ୍ଭ କରିଛି । ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ସମେତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ପ୍ରଭାବିତ କରିବାର ଭାରତୀୟ
ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଉଛି । ପ୍ରଧାନମନ୍ତ୍ରୀ ଖୋଦ୍ ବାତ୍ୟାର ସମୀକ୍ଷା ବୈଠକ କରିଛନ୍ତି । ଓଡିଶାରେ କରୋନା ମୁକାବିଲାରେ ସମସ୍ତେ ଲାଗିଛନ୍ତି । ଏହା ଉପରେ ଏହି ବାତ୍ୟାର ବୋଝ ସମସ୍ତଙ୍କ ଉପରେ ଲଦି ହୋଇଛି । ତେବେ ଏହାକୁ ଧୈର୍ଯ୍ୟ ଓ ସାହାସର ସହ ମୁକାବିଲା ଦ୍ୱାରା ହିଁ ଏହାର ମୁକାବିଲା କରିହେବ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା ଓ ଉପକୂଳ ଓଡିଶାର ୮ଟି ଜିଲ୍ଲା ଯଥା ମୟୂରଭଞ୍ଜ, ଯାଜପୁର , କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ନୟାଗଡ ଜିଲ୍ଲା ପ୍ରଭାବିତ ହେବାର ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଓଡିଶାବାସୀ ବିଶେଷ ଭାବରେ ସମୁଦ୍ର ଅଂଚଳରେ କଚ୍ଚା ଘରେ ରହୁଥିବା ଲୋକମାନେ ପକ୍କା ଘରକୁ ସ୍ଥାନାନ୍ତର ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସାରା ମାନବଜାତି ପ୍ରତି ଅଛି । ଭାରତବର୍ଷର ଏହି ବିପଦ ଘଡିରେ ଓଡିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲୋକଙ୍କର କ୍ଷତି ନହେଉ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତେ ଏହି ବିପଦରୁ ରକ୍ଷା ପାଇପାରିବା ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।