ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବ୍‌ରେ ପୁଞ୍ଜିନିବେଶ ପାଇଁ ଏ୍‌ଏମ୍‌ଏନ୍‌ଏସ୍‌କୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

ଆର୍ସେଲର ମିତଲ ଓ ନିପନ ଷ୍ଟିଲର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍ କମ୍ପାନୀର ବରିଷ୍ଠ ଅଧିକାରୀ, ଇସ୍ପାତ୍ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଯୋଗଦେବା ଅବସରରେ ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବରେ ପୁଞ୍ଜିନିବେଶ କରିବା ପାଇଁ ଆର୍ସେଲର ମିତଲ ଓ ନିପନ ଷ୍ଟିଲ(ଏ୍‌ଏମ୍‌ଏନ୍‌ଏସ୍‌)କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲ୍ ଭଳି ଯୌଥ ଉଦ୍ୟୋଗ ପୂର୍ବ ଭାରତରେ ନିଜର କ୍ଷମତା ସଂପ୍ରସାରଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବଦୋୟ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଓଡ଼ିଶାରେ ବାର୍ଷିକ ଅତିରିକ୍ତ ୧୨ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ ଯୋଜନାରେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲ୍ ଓଡ଼ିଶାର ଶିଳ୍ପାୟନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ହୋଇପାରିବ । ସେହିପରି ପାରାଦୀପ ପ୍ଲାଣ୍ଟର କ୍ଷମତା ବୃଦ୍ଧି ହେଲେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲ ଦେଶରେ ଲକ୍ଷ୍ୟ ରଖିଥିବା ବାର୍ଷିକ ୩୦ ମିଲିୟନ ଟନ(ଏମଟିପିଏ)ର ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ହାସଲ କରିପାରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ସମନ୍ୱିତ ଇସ୍ପାତ ପେଣ୍ଠସ୍ଥଳି କଳିଙ୍ଗନଗରରେ ସ୍ଥାପନ ହେବାକୁ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ୍ ପ୍ରତିଷ୍ଠାନରେ ଆର୍ସେଲର ମିତଲ ଏବଂ ନିପନ ଷ୍ଟିଲକୁ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ । ଏହାସହ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା, ପ୍ରତିଯୋଗିତାମୂଳକ, ଉନ୍ନତମାନର ଇସ୍ପାତ୍‌, କ୍ୟାପିଟାଲ ଗୁଡ୍ ଏବଂ ଭାରତରେ ବିଶ୍ୱମାନର ଇସ୍ପାତ୍ବ୍ୟ ବହାରକୁ ବଢ଼ାଇବା ଦିଗରେ ଦୃଷ୍ଟି ଦେବା ସହ ଭାରତୀୟ ଇସ୍ପାତ୍ ଅଧିକ ହେବା ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

ଉଲ୍ଲେଖନୀୟ ଯେ, ଏହି ବୈଠକରେ ଆର୍ସେଲର ମିତଲ କମ୍ପାନୀର ଅଧିକାରୀ ଓ ନିପନ ଷ୍ଟିଲ୍ ଇଣ୍ଡିଆର ଅଧିକାରୀମାନେ ଯୋଗଦେଇ ଭବିଷ୍ୟତର ରୋଡମ୍ୟାପ୍‌, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ରାଷ୍ଟ୍ରୀୟ ଇସ୍ପାତ୍‌ ନୀତିରେ ଲକ୍ଷ୍ୟ ରଖାଯାଇଥିବା ବାର୍ଷିକ ୩୦୦ ମିଲିୟନ ଟନ(ଏମଟିପିଏ)ର ଇସ୍ପାତ ଉତ୍ପାଦନ ଏବଂ ଏଥିରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍ ଇଣ୍ଡିଆ ଦ୍ୱାରା କଳ୍ପନା କରାଯାଇଥିବା ୩୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ ଉପରେ ଆଲୋଚନା କରାଯାଇଥିଲା ।