ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ରହିବ ବଡ ଭୂମିକା : ଧର୍ମେନ୍ଦ୍ର ପ୍ରଧାନ

‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍ କାଉନସିଲ ପକ୍ଷରୁ ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ବିଦେଶୀ କମ୍ପାନୀଙ୍କୁ ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ, ସୁଲଭ ଓ ସ୍ଥିର ଉର୍ଜାକୁ ଅଧିକ ଧ୍ୟାନ ଦିଆଯିବ । ଭାରତର ଉର୍ଜା କମ୍ପାନୀମାନେ ନୂଆ ଉପାୟରେ ଏବଂ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖିବା ଦିଗରେ କାମ କରୁଛନ୍ତି । ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଯଥା ଉର୍ଜା ଉପଲବ୍ଧି, ଦକ୍ଷତା, ସ୍ଥିର, ନିରାପତ୍ତା ଏବଂ ସୁଲଭ ମୂଲ୍ୟର ଉର୍ଜା ଉପରେ ଗୁରୁତ୍ୱ ଦିଆଯାଉଛି ।

ଏ ମର୍ମରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ୨୦୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲୁଅଛି । ଏମଏନଆରଇର କିଷାନ ଉର୍ଜା ଇଭାମ ଉଥାନ ଅଧୀନ ମହାଭିଯାନରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ସୋଲାର ପମ୍ପର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି । ପରିବହନ ମନ୍ତ୍ରଣାଳୟ ସିଏନଜିକୁ ଏକ ବିକଳ୍ପ ଇନ୍ଧନରେ ଗ୍ରହଣ କରୁଛି ଓ ଜାହାଜ  ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପର ବିକାଶ କରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।

କୋଭିଡ୍‌-୧୯ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଉର୍ଜାର ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନୀମାନେ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛନ୍ତି । ହାଇଡ୍ରୋକାର୍ବନ୍ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି । ୨୦୨୦ ବର୍ଷ ଏପ୍ରିଲ ଏବଂ ମଇରେ ଅଶୋଧିତ ତୈଳର ମୂଲ୍ୟ କମ୍ ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରରେ ୧୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭର୍ତ୍ତି କରାଯାଇଛି । ଯଦ୍ୱାରା ସରକାରଙ୍କ ୫ ହଜାରରୁ ଅଧିକ କୋଟି ସଞ୍ଚୟ ହୋଇପାରିଛି ।

ଅଶୋଧିତ ଏବଂ ପେଟ୍ରୋଲିୟମ ଉତ୍ପାଦ ସଂରକ୍ଷଣ କ୍ଷମତାକୁ ୭୪ ଦିନର ଜାତୀୟ ବ୍ୟବହାରରୁ ୯୦ ଦିନ ପର୍ଯ୍ୟନ୍ତ ଉନ୍ନତ କରାଯାଉଛି । ପରବର୍ତ୍ତୀ ବାଣିଜ୍ୟିକ ଷ୍ଟ୍ରାଟେଜିକ୍ ରିଜର୍ଭ କାର୍ଯ୍ୟକ୍ରମରେ ଯାଜପୁର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ନିର୍ମାଣଧୀନ ଥିବା ୬.୫ ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ଦେଶୀୟ କମ୍ପାନୀଙ୍କ ସହ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ବିଦେଶୀ କମ୍ପାନୀ ଗୁଡିକୁ ନିମନ୍ତ୍ରଣ କରିଛନ୍ତି । ଆମେରିକା ତଥା ଅନ୍ୟାନ୍ୟ ବାଣିଜ୍ୟିକ ଉପଯୋଗୀ ସ୍ଥାନ ବିଦେଶରେ ଅଶୋଧିତ ସଂରକ୍ଷଣ ସୁବିଧା ଅନୁସନ୍ଧାନ ଦିଗରେ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି ।

ଭାରତ ସରକାର ରାଜସ୍ୱ ଅପେକ୍ଷା ଆମଦାନୀକୁ ଗୁରୁତ୍ୱ ଦେଉଛନ୍ତି । ସ୍ଥିର ଉର୍ଜାର ବିକାଶ ଏବଂ ତୈଳ ଉପରେ ନିର୍ଭରତାକୁ କମ୍ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ତୈଳ ବିପଣନ କମ୍ପାନୀମାନେ ୧୪ ହଜାର କୋଟି ଟଙ୍କା ବ୍ୟୟରେ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରିବା ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନଲର ୨୦% ମିଶ୍ରଣ ଏବଂ ଡିଜେଲରେ ବାୟୋ-ଡିଜେଲର ୫% ମିଶ୍ରଣର ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ କରାଯାଉଛି । ଅପରପକ୍ଷରେ ସିଟି ଗ୍ୟାସ ବିତରଣ(ସିଜିଡ଼ି) ନେଟୱାର୍କର ଏବଂ ସିଏନଜି ଷ୍ଟେସନ ପ୍ରତିଷ୍ଠା ସଂପ୍ରସାରଣରେ ଦ୍ରୁତ ଗତିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅଶୋଧିତ ତୈଳର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଯଥା ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନରେ ବୃଦ୍ଧି, ଜୈବ ଏବଂ ନବୀକରଣ ଉର୍ଜା ପ୍ରୋତ୍ସାହନ, ଉର୍ଜା ସଂରକ୍ଷଣ ଏବଂ ଦକ୍ଷତା, ଅଶୋଧିତ ତୈଳ ପ୍ରକ୍ରିୟାରେ ଉନ୍ନତିକରଣ ଏବଂ ପ୍ରତିସ୍ଥାପନ ଚାହିଦା ଭଳି ଋଣନୀତି ସୁପ୍ରଭାବ ପକାଇଛି । ବିଗତ ୬ ବର୍ଷରେ ଭାରତର କୁଟନୈତିକ ଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ହୋଇଛି । ଋଷ, ଆମେରିକା, ସାଉଦିଆରବ ଏବଂ ୟୁଏଇ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।