ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ସେ  ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପି.ଭି ସିନ୍ଧୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ୨୦୨୦ ଅଲମ୍ପିକ୍ସ ପ୍ରତିଯୋଗୀତା ପାଇଁ ଶୁଭକାମନା ଜଣାଇଥିଲେ ।     

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ପି.ଭି ସିନ୍ଧୁ ଏବଂ ତାଙ୍କ ପିତାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଅବସରରେ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ମାରକ ମୁଦ୍ରା ଓ ଏକ ଓଡିଆ ସାଲ୍ ଉପହାରସ୍ୱରୂପ ପ୍ରଦାନ କରିଥିଲେ ।  

ପି.ଭି ସିନ୍ଧୁ ଜଣେ ଆଗଧାଡିର ଯୁବ ପ୍ରତିଭା ଏବଂ ତାଙ୍କର ଉଦ୍ୟମ ସାମାଜିକ ପରିବର୍ତନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏହାସହ ତାଙ୍କୁ ରାଷ୍ଟ୍ରୀୟ ମିଶନ ଏବଂ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛ ଭାରତ ମିଶନ, ଜଳଶକ୍ତି ଅଭିଯାନ ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ପି.ଭି ସିନ୍ଧୁ ଖୁସିବ୍ୟକ୍ତ କରିବା ସହ ସମ୍ବର୍ଦ୍ଧିତ କରିବା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହାସହ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନ୍ଏଲ୍)କୁ ମଧ୍ୟ ସମର୍ଥନ ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ ।   ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡର ବ୍ରାଂଡ ଆମ୍ବାସେଡର ହେଉଛନ୍ତି ପି.ଭି ସିନ୍ଧୁ ।