ଓଡ଼ିଆ ସମାଜର ଅଗ୍ରଦୂତ ହୁଅନ୍ତୁ ପ୍ରବାସୀ ଓଡ଼ିଆ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ସମାଜର ଅଗ୍ରଦୂତ ହୁଅନ୍ତୁ ପ୍ରବାସୀ ଓଡ଼ିଆ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀଠାରେ ଆୟୋଜିତ ହୋଇଥିବା ପ୍ରବାସୀ ଓଡ଼ିଆ ଉତ୍ସବ ୨୦୧୯ରେ ଯୋଗ ଦେଇ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମୟ ବଦଳିବା ଅନୁସାରେ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ବଦଳିଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି । ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ଅଛି । ଲେଖାପଢା ଓ ଜ୍ଞାନରେ ସର୍ବାଭାରତୀୟ ସ୍ତରରେ ଓଡିଆ ଲୋକମାନେ ସୁନାମ ଆଣିପାରିଛନ୍ତି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକଙ୍କ ପୁଞ୍ଜି ହେଉଛି ଚରିତ୍ର ଓ ବୌଦ୍ଧିକ କ୍ଷମତା । ଓଡିଆ ଲୋକଙ୍କ ଚରିତ୍ରରେ ପରିଶ୍ରମ, ସାଧୁତା ଓ ସମ୍ବେଦନଶୀଳତା ଅଛି । ଯାହା ଆଜିର ବସ୍ତୁବାଦୀ ଦୁନିଆରେ ଦୁଃମୂଲ୍ୟ । ସଂପ୍ରତି ଓଡିଶା ବିଶ୍ୱରେ ସମ୍ପନ୍ନତାର ଚରମ ସୀମାକୁ ଯାଇଛି । ସେହିଭଳି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ହେବ । ଏହି ସମୟରେ ଓଡିଆ ଲୋକମାନେ ଓଡିଶା ପାଇଁ ବଡ କଳ୍ପନା କରିବାର ଆବଶ୍ୟକତା ରହିଛି । ତେଣୁ ଏବେ ନିଜ ଅଂଚଳ ପାଇଁ ସମସ୍ତଙ୍କର କିଛି ଦାୟିତ୍ୱ ନେବାର ସମୟ ଆସିଛି ।

ଓଡିଆ ଜାତିକୁ ବିଶ୍ୱରେ ପରିଚିତ କରିବାର ଦାୟିତ୍ୱ କେବଳ ଦିଲ୍ଲୀ ଏବଂ ଭୁବନେଶ୍ୱରରେ ଥିବା ସରକାରଙ୍କର ନୁହେଁ ସମଗ୍ର ଓଡିଆ ଜାତିର । ଓଡିଶାର ଛେନାପୋଡ, ଆରିସା ପିଠା, ପଖାଳ, ଆମ୍ବୁଲ, ସୋରିଷ ତରକାରୀ ମାଛ, ସମ୍ବଲପୁରୀ ଶାଢୀ, ଖୋର୍ଦ୍ଧା ଗାମୁଛା, ଏ ସବୁକୁ ବିଶ୍ୱରେ କିଏ ପହଁଚାଇବ ?  ଏକବିଂଶ ଶତାବ୍ଦୀରେ ଓଡିଶାର ସମସ୍ତ ଲୋକ ଏକାଠୀ ହୋଇ ଓଡିଶାର ଏହି ସବୁ ଜିନିଷକୁ ବିଶ୍ୱରେ ପହଁଚାଇବାର ଆବଶ୍ୟକତା ରହିଛି । ତେବେ ଯାଇ ଓଡିଶା ବିଶ୍ୱରେ ଅଧିକରୁ ଅଧିକ ପରିଚୟ ଲାଭ କରିପାରିବ ।

ଯେଉଁ ସମାଜ ଯେତେ ପ୍ରଗତିଶୀଳ, ସମ୍ବେଦନଶୀଳ, ଭାବନାତ୍ମକ ସେ ଜାତି ସେତେ ବଡ ହୋଇପାରିବ । ଏକବିଂଶ ଶତାବ୍ଦୀରେ ଓଡିଆ ଲୋକମାନେ ଏକାଠୀ ହେବା ଦରକାର । ଓଡିଶାକୁ ଏଥର ଦୁନିଆ ପାଖକୁ ନେବ । ଏଥିପାଇଁ ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ଦେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହ ଓଡିଆ ଲୋକକୁ ଆର୍ଥିକ ସମ୍ପନ୍ନ କରିବାର ଅଛି ବୋଲି ସେ କହିଛନ୍ତି ।