ଆସନ୍ତାକାଲି ଅନୁଗୁଳ ଜିଲ୍ଲାରେ ପଦଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଏହି ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲ୍ଲା ତେଲେଙ୍ଗାପେଂଠରୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେଉଛି । ଆସନ୍ତା କାଲି ସକାଳ ୯ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗିଳ ଜିଲ୍ଲା ବ୍ଲକ ଅନ୍ତର୍ଗତ ଧକୁଟା ଗ୍ରାମର ଶିବ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିବେ । ଏହି ପଦଯାତ୍ରା ପୁଖୁଚୁଆଁ, ଶଙ୍କରପୁର ଛକ ଦେଇ ଦଳଯାତ୍ରା ପଡିଆଠାରେ ସମାପ୍ତ ହେବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।