ଭାରତୀୟ ଅର୍ଥନୀତିରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଧର୍ମେନ୍ଦ୍ର ପ୍ରଧାନ

ଫିକି ମହିଳା ଶାଖା ଭିଡିଓ କନଫରେନ୍ସିଂରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଗାମୀ ଦିନମାନଙ୍କରେ ଭାରତୀୟ ମହିଳାମାନଙ୍କର ଭାରତୀୟ ଅର୍ଥନୀତିରେ ବଡ ଭୂମିକା ରହିବା ବୋଲି ଫେଡେରେସନ ଓ ଇଣ୍ଡିଆନ୍ ଚାମ୍ବରସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ମହିଳା ଶାଖାର ଏକ ଅନଲାଇନ୍ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଡିଜିଟାଲ ଯୁଗର ସଠିକ୍ ଅନୁଭବ କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବଂ ଦେଶ କରୁଛି । ଦେଶର ବର୍ତମାନର ପରିସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନରୁ ଆର୍ଥିକ ଆକଳନ ହେଉ ନ ଥିଲା । ମାତ୍ର ଏବେ ଏହାର ଆକଳନ ହେବ ଏବଂ ମହିଳାମାନଙ୍କର ଆର୍ଥିକ ବିକାଶରେ ଯୋଗଦାନରେ ସଠିକ୍ ମୂଲ୍ୟାଙ୍କନ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ପୁରୁଷ କୈନ୍ଦ୍ରିକ ଅର୍ଥବ୍ୟବସ୍ଥାର ଅର୍ଥ ଖର୍ଚ୍ଚର ବ୍ୟବସ୍ଥା ତୁଳନାରେ ମହିଳା ହାତକୁ ଅଧିକ ଆର୍ଥିକ କ୍ଷମତା ଆସିଲେ ପାଂଚଥର ଚିନ୍ତା କରି ମହିଳା ଖର୍ଚ୍ଚ କରିବ । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଶୁଭଙ୍କର ହେବ ।

କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲପିଜି ସବସିଡି ଯାିଛି । ଏହା ସମାଜର ଖରାପ ଆର୍ଥିକ ପରିସ୍ଥିତି ସମୟରେ ମହିଳାମାନଙ୍କୁ ଆହୁରି ସଶକ୍ତ କରିଛି ।

ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରଣାଳୟ ତରଫରୁ ଚାଲୁଥିବାର ଘରେ ଘରେ ପାଇପଯୋଗେ ପିଏନଜି ଗ୍ୟାସ୍ ଯୋଗାଣରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା କଥା କହିଛନ୍ତି । ଏହାସହ ବ୍ୟବହୃତ ଖାଇବା ତେଲ ତଥା ଘରୋଇ ଅଳିଆ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲ ଜାତିୟ ଉର୍ଜା ଉତ୍ପାଦନର କେନ୍ଦ୍ରରେ ମହିଳାମାନେ ରହି ସେମାନଙ୍କର ଆର୍ଥିକ ପ୍ରଗତି କରିପାରିବେ ବୋଲି କହିଛନ୍ତି । ତାଙ୍କ ମନ୍ତ୍ରଣାଳୟ ପିଏନଜି ଯୋଗାଣ, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ବିଲ କଲେକ୍ସନ ଦାୟିତ୍ୱ ବିଭିନ୍ନ ମହିଳାମାନଙ୍କୁ ଦେବା ପାଇଁ ଚିନ୍ତା କରୁଥିବା ଶ୍ରୀ ପ୍ରଧାନ ସୂଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଶତାଧିକ ମହିଳା ଉଦ୍ୟମୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।