ଲକ୍ ଡାଉନରେ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ: ଧର୍ମେନ୍ଦ୍ର ପ୍ରଧାନ

କୋରୋନା ମୁକାବିଲା ପାଇଁ କେନ୍ଦ୍ରର ୧ ଲକ୍ଷ ୭୦ ହଜାର କୋଟି ଆର୍ଥିକ ପ୍ୟାକେଜ ପ୍ରସଙ୍ଗ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋରୋନା ଭୁତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକ୍ ଡାଉନ୍ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ ଆହୁରି କହିଛନ୍ତି, ଅଦ୍ଭୁତପୂର୍ବ ପଦକ୍ଷେପ ପାଇଁ ଆହ୍ୱାନ କରେ । ଆହ୍ୱାନ ମୂଳକ ସମୟରେ ଦାୟିତ୍ୱବାନ ଶାସନର ଉଦାହରଣ ହୋଇଛନ୍ତି ମୋଦି ସରକାର । ଆଜି ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଂଚଳର ଗରିବ, କୃଷକ, ସ୍ୱାସ୍ଥ୍ୟକର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉନରେ କୋରୋନା ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଯୋଜନାରେ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ, ବୀମା କଭର, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ତିନୋଟି ଏଲପିଜି ସିଲିଣ୍ଡର ଆଗାମୀ ୩ମାସ ପାଇଁ ଯୋଗାଇବା ଏବଂ ଅନ୍ୟ ନିଷ୍ପତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି ।

ସେହିପରି କୋରୋନା ଭାଇରସ୍ ସଂକ୍ରମଣ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡିକ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍ ଘୋଷଣା କରାଯାଇଛି । ଦେଶର ୩କୋଟି ଗରିବ ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ଅର୍ଥମନ୍ତ୍ରୀ ୧୦୦୦କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି । ୨୦କୋଟି ମହିଳା ଜନଧନ ଯୋଜନା ଆକାଉଂଟଧାରୀ ଆସନ୍ତା ୩ମାସ ପାଇଁ ମାସିକ ୫୦୦ ଟଙ୍କର ପାଇବା ନେଇ ନିଷ୍ପତି ନିଆଯାଇଛି ।

ଏତଦବ୍ୟତିତ ୬୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବନ୍ଧକବିହିନୀ ଋଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଏହାଦ୍ୱାରା ୭କୋଟି ପରିବାର ଉପକୃତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆମେ ଏକାଠି ଅଛୁ, ଆମେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢ଼ିବା ଏବଂ ବିଜୟୀ ହେବା । ସରକାରଙ୍କ ପକ୍ଷରୁ ଦେଶର ଅର୍ଥନୀତି ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବକୁ କମ୍ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।