ସମସ୍ତ ବାଧାବିଘ୍ନକୁ ସାମ୍ନା କରିବାକୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ

ଆନ୍ତର୍ଜାତିକ ମହିଳା ଦିବସରେ ତୈଳ ଓ ଇସ୍ପାତ୍ ମନ୍ତ୍ରଣାଳୟର ମହିଳା କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଇସ୍ପାତ୍ ମନ୍ତ୍ରଣାଳୟର ପିଏସୟୁ ଏବଂ ସହଯୋଗୀ ସଂସ୍ଥାର ମହିଳା କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖିଛନ୍ତି । ଏହି ପତ୍ରରେ ସେ ମହିଳା କର୍ମଚାରୀମାନଙ୍କୁ ସମସ୍ତ ବାଧାବିଘ୍ନ ତଥା ସମସ୍ତ ପ୍ରକାର ଭେଦଭାବକୁ ସାମ୍ନା କରିବା ପାଇଁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଓ ଅଗ୍ରଣୀ ଅଟନ୍ତି । ସେମାନେ ଦୁର୍ଗମ ଅଂଚଳକୁ ଯାଇ ନୂତନ ଲ୍ୟାଣ୍ଡମାର୍କ ସୃଷ୍ଟି କରିବା ସହ ଆମ ସମାଜ ତଥା ଅର୍ଥନୀତିକୁ ନୂଆ ରୂପ ଦେଉଛନ୍ତି । ପେଟ୍ରୋଲିୟମ ଏବଂ ଇସ୍ପାତ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ମହିଳା କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଶ୍ରୀ ପ୍ରଧାନ ।

ସେ କହିଛନ୍ତି ଯେ ବିଭିନ୍ନ ଆଲୋଚନା ସମୟରେ ମହିଳା କର୍ମଚାରୀଙ୍କ ନିଷ୍ଠା ତାଙ୍କ ବିଶ୍ୱାସକୁ ଆହୁରି ଦୃଢ କରିଛି ଯେ ଆଗାମୀ ଦିନରେ ହେବାକୁ ଥିବା ଅଭିବୃଦ୍ଧି ତାଙ୍କ ଦ୍ୱାରା ହିଁ ସମ୍ଭବ । ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ୍‌ ଉତ୍ପାଦନ ହେଉ କିମ୍ବା ସମସ୍ତ ଭାରତୀୟଙ୍କୁ ଉର୍ଜା ନ୍ୟାୟ ପ୍ରଦାନ କରିବା ହେଉ, ଏହି ସବୁରେ ମହିଳାଙ୍କ ଯୋଗଦାନ ହିଁ ଭାରତ ନିଜ ଲକ୍ଷ୍ୟକୁ ହାସଲ କରିବାରେ ଅଗ୍ରସର କରାଇବ ।

ଏହି ପତ୍ରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭାରମ୍ଭ ହୋଇଥିବା ସି ଇନସ୍ପେୟାର ଅସ୍ ଅଭିଯାନରେ ମହିଳା କର୍ମଚାରୀମାନେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି ।