ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ପ୍ରମୁଖ ଭୂମିକା ରହିବ:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଫନି ପୁନଃନିର୍ମାଣ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହିବ । ଓଡିଶାର ପୁନଃନିର୍ମାଣ ପାଇଁ ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ଆଡିସିନାଲ ପ୍ରିନିସପାଲ ସେକ୍ରେଟାରୀ, ଗୃହ ସଚିବ, ଶକ୍ତି ସଚିବ, ଟେଲିକମ୍ ସଚିବ ପରି ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶା ଆସି ରାଜ୍ୟ ପାଇଁ ମ୍ୟାନ୍ , ମନି, ମେସିନର ଅଭାବ ରହିବ ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଥିଲେ । ସେ ସମ୍ପର୍କରେ ଅଗ୍ରଗତି ନେଇ ହୋଇଥିବା ଯୋଜନା ଉପରେ ଆଜି ଆଲୋଚନା ହୋଇଥିଲା।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ନିଜର ପୂର୍ଣାଙ୍ଗ ଦାବିପତ୍ର ପଠାଇବା ପୂର୍ବରୁ ପରମ୍ପରାକୁ ଭାଙ୍ଗି ଭାରତ ସରକାରଙ୍କର ସମୀକ୍ଷା ପ୍ରତିନିଧି ଦଳ ଓଡିଶାରେ ପହଁଚିବେ । ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ୧୩ ରୁ ୧୫ ତାରିଖ ମଧ୍ୟରେ ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କ ଅପେକ୍ଷା ଅନୁସାରେ ଭାରତ ସରକାର ଦାୟିତ୍ୱ ନେବେ। ଭାରତ ସରକାରଙ୍କ ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଶକ୍ତି ସଚିବଙ୍କ ନେତୃତ୍ୱରେ ଟେଲିକମ୍ ସଚିବ, ବ୍ୟାଙ୍କ ସଚିବ ଓଡିଶା ଆସିବା ପାଇଁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । ପୁରୀ, ଖୋର୍ଧା, କଟକ ଜିଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବ୍ଲକ ଓ ସହର ତଥା ଗ୍ରାମାଚଂଳରେ ବିଜୁଳି କାମରେ ଏନଟିପିସି ଓ ପିଜିସିଏଲ ପରି କମ୍ପାନୀକୁ ପନଃରୁଦ୍ଧାର କାମରେ ଲଗାଇବା ପାଇଁ ପ୍ରସ୍ତାବ ଦେଇଛି।ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ଫୋନି ପ୍ରଭାବିତ ଅଂଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ ଟେଲିଫୋନ ଟାଓାର (କାଓ), ମୋବାଇଲ ଏଟିଏମ୍ ଲଗାଯିବା ଉପରେ ନିଷ୍ପତି ନିଆଗଲା । ଏହି ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ମିଶି କାମର କ୍ରିୟାନ୍ୱୟନ କରିବେ । ବୀମା କମ୍ପାନୀ ମାନେ ମନଟରିଂ କରି କ୍ଲେମ ସେଟେଲମେଂଟ କିପରି ଶୀଘ୍ରରୁ ଶୀଘ୍ର ହେବ ତା ଉପରେ ଆଲୋଚନା କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ନଡିଆ, ଗୁଆ, କାଜୁ, ଉଦ୍ୟାନକୃଷି, ପଶୁସମ୍ପଦ, ଧାନ ଚାଷୀ, ଖୁଚୁରା ଦୋକାନୀ ଯେଉଁମାନେ
ଋଣ ନେଇଛନ୍ତି ତା କିପରି ସରଳୀକରଣ ହେବ ଏବଂ ଯେଉଁମାନେ ଋଣ ନେବେ ତାଙ୍କୁ କିପରି କମ୍ ସୁଧରେ ଋଣ ମିଳିପାରିବ ଏହା ଉପରେ ଜୋର ଦିଆଯାଇଛି । ଏନେଇ ଗାଇଡଲାଇନ କରି କାମ କରିବା ପାଇଁ ମଧ୍ୟ ମୁଁ ରିଜର୍ଭ ବ୍ୟାଙ୍କର ଗଭର୍ଣର ଶକ୍ତିକାନ୍ତ ଦାଶଙ୍କୁ ଅନୁରୋଧ କରିଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ବାତ୍ୟା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ପୁରୀ ସହର ହୋଟେଲ ଗୁଡିକ ବିଶେଷ କ୍ଷତି ହୋଇଛି । ଏହାର ଇନସ୍୍ୟୁରାନ୍ସ କ୍ଲେମ୍ ସହ ନୂଆ ଋଣ ପାଇଁ ନୂଆ ଆପ୍ରୋଚ ଉପରେ ଆଲୋଚନା ହୋଇଛି । ଏ ଗୁଡିକ ବାତ୍ୟା ପରର ଓଡିଶାର ଅର୍ଥନୀତି ପାଇଁ ପ୍ରମୁଖ ଭୂମିକା ନେବ । ଏଥିସହ ରାଜ୍ୟକୁ କିପରି ଅଧିକ ଘର, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ, ସଂସ୍କୁତି, ପର୍ଯ୍ୟଟନ, ଶିକ୍ଷା ବିଭାଗ ଅଧିକ ସମନ୍ୱୟ କରି ଓଡିଶାର ପୁନଃନିର୍ମାଣରେ ଭାରତ ସରକାରଙ୍କ ଏକ ପ୍ରଭାବୀ ଭୂମିକା ରହିବ ତାହା ଉପରେ ଆଲୋଚନା ହୋଇଥିବା କଥା ଶ୍ରୀ ପ୍ରଧାନ କହିଛନ୍ତି ।