ଆଗାମୀ ଦିନରେ ଋଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ହେବ: ଧର୍ମେନ୍ଦ୍ର ପ୍ରଧାନ

ଋଷର ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଋଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧି ମଣ୍ଡଳି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଋଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି ଶ୍ରୀ ପ୍ରଧାନ । ନିକଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଋଷ ଗସ୍ତ ପରେ ଏହି ବୈଠକ ମହତ୍ୱପୂର୍ଣ୍ଣ ଥିଲା । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଋଷରେ କୋଇଲା ସମେତ ଅନ୍ୟ ଖଣିଜ ସମ୍ବଳର ଅପାର ସମ୍ଭାବନା ରହିଛି । ଇସ୍ପାତ୍ ଏବଂକୋଇଲା କ୍ଷେତ୍ରରେ ଋଷର ଦୀର୍ଘକାଳୀନ ସହଯୋଗରେ ଭାରତକୁ କୋକିଂ କୋଲରେ ବିବିଧତା ଆଣିବାରେ ସହାୟକ ହେବ ।

ଉକ୍ତ ବୈଠକରେ ଶ୍ରୀ ପ୍ରଧାନ ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ
ଋଷ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ହେବ ଏବଂ ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ ବୋଲି ସେ କହିଛନ୍ତିା ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ବୈଠକ
ପରେ ସୂଚନା ଦେଇଛନ୍ତି । ତଳିତବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷରେ ଆୟୋଜିତ ପୂର୍ବ ଅର୍ଥନୀତି ଫୋରମରେ ଯୋଗଦେବା ପାଇଁ ଭ୍ଲାଡିଭୋଷ୍ଟୋକ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ ଭାରତ ଏବଂ ଋଷ ମଧ୍ୟରେ ଥିବା ବ୍ୟବସାୟିକ ଓ ଅନ୍ୟାନ୍ୟ ସମ୍ପର୍କକୁ ମଜବୁତ କରିଛି । ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ବିକାଶର ଲକ୍ଷ୍ୟକୁ ପୁର୍ନଜୀବିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ବୈଠକରେ କୋକିଂ କୋଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତରେ ହୋଇଥିବା ବୁଝାମଣାକୁ ଆଗକୁ ବଢାଇବା ନେଇ ବିଭିନ୍ନ ବ୍ୟବସାୟିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।