କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ୟୁଏଇ ଗସ୍ତର ଅନ୍ତିମ ଦିନ

ଭୁବନେଶ୍ୱର: ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ।ସେହିପରି ଓପେକର ସାଧାରଣ ସଚିବ ଡ. ମହମ୍ମଦ ବାରକିଣ୍ଡୋଙ୍କୁ ଭେଟି ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ । ଭିତୋଲ ଗ୍ରୁପର ମୁଖ୍ୟଙ୍କ ସାକ୍ଷାତକାଳରେ ଶ୍ରୀ ପ୍ରଧାନ ପଲିସି ଗୁଡିକରେ ସଂସ୍କାର ଅଣାଯିବା କାରଣରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ର ପୁଞ୍ଜିନିବେଶ କରିବା ପାଇଁ ଉପଯୋଗୀ ସ୍ଥାନ ହୋଇପାରିଛି । ନିକଟରେ କର୍ପୋରେଟ୍ ଟିକସ ହ୍ରାସ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ ତଥା ବ୍ୟବସାୟ କରିବାରେ ସହଜ ଏବଂ ଇନ୍ଧନ ପ୍ରସଙ୍ଗ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।

ସେହିପରି ଓପେକର ସାଧାରଣ ସଚିବ ଡ. ମହମ୍ମଦ ବାରକିଣ୍ଡୋଙ୍କ ସହ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉଭୟେ ସାଂପ୍ରତିକ ତୈଳ ଏବଂ ଗ୍ୟାସ ମାର୍କେଟର ବିକାଶ ତଥା ବିଶେଷ ଭାବରେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦରରେ ଅସ୍ଥିରତା ଏବଂ ଅଶୋଧିତ ତୈଳ ଯୋଗାଣ ଉପରେ ଆଲୋଚନା କରିଥିଲେ । ଦୁଇ ମନ୍ତ୍ରୀ ଭାରତ-ଓପେକ୍ ଭାଗିଦାରୀକୁ ଆଗାମୀ ଦିନରେ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଉର୍ଜାର ସୁରକ୍ଷା ଓ ଉର୍ଜା ଦାରିଦ୍ର‌୍ୟର ସମାଧାନ ପାଇଁ ମିଶି କାମ କରିବା ପାଇଁ ସମ୍ମତି ଜଣାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଥିଲେ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଗତକାଲି ଆବୁଧାବୀ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀ(ଆଡିପେକ-୨୦୧୯)ରେ ଯୋଗଦେଇଥିଲେ । ଏହି ଅବସରରେ ସେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ନେଇ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ୍ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାର ଯୋଜନା ଥିବା ସମ୍ମିଳନୀରେ ସୂଚନା ଦେଇଥିଲେ । ସେହିପରି ୟୁଏଇ ମନ୍ତ୍ରୀ ସୁଲତାନ ଅଲ୍ ଜାବେରଙ୍କ ସହ ଭାରତ ପାଭିଲିୟନକୁ ମଧ୍ୟ ଉଦଘାଟନ କରିଥିଲେ । ଏହାବ୍ୟତିତ ସେଠାକାର ବିଭିନ୍ନ କମ୍ପାନୀର ମୁଖ୍ୟଙ୍କୁ ଭେଟି ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।