୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ: ଧର୍ମେନ୍ଦ୍ର ପ୍ରଧାନ

ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ । ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉକ୍ରୃଷ୍ଟ ସ୍ଥାନ ବୋଲି ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଆବୁଧାବୀ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀରେ(ଆଡିପେକ-୨୦୧୯) ଯୋଗଦେଇ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓ ୟୁଏଇ ମନ୍ତ୍ରୀ ସୁଲତାନ ଅଲ୍ ଜାବେରଙ୍କ ଭାରତ ପ୍ୟାଭିଲିୟନକୁ ମଧ୍ୟ ଉଦଘାଟନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ତଥା ୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ମୁଣ୍ଡ ପିଛା ଉର୍ଜାର ବ୍ୟବହାର କ୍ଷେତ୍ରରେ ବିଶ୍ୱ ହାରାହାରି ଠାରୁ ଭାରତରେ ଉର୍ଜାର ବ୍ୟବହାର କମ୍ । ତେଣୁ ୨୦୨୦ ମଧ୍ୟଭାଗ ସୁଦ୍ଧା ଉର୍ଜା କ୍ଷେତ୍ରରେ ଭାରତ ବୃହତ ବଜାର ହେବା ନେଇ ଆଶା ରଖିଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଉର୍ଜା ଯୋଗାଣ ଏବଂ ଉର୍ଜା ବ୍ୟବହାରରେ ଭାରତ ମଧ୍ୟଭାଗରେ ଅଛି । ଭାରତରେ ସିଟି ଗ୍ୟାସ ନେଟୱାର୍କର ସଂପ୍ରସାରଣ ହୋଇଛି, ଯାହା ଭାରତ ଭୌଗଳିକର ୫୦ ପ୍ରତିଶତ ଆଚ୍ଛାଦିତ କରୁଥିବା ବେଳେ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଏହାର ସୁବିଧା ପାଇଛନ୍ତି । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍ , ଟର୍ମିନାଲ , ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ୱୟନ ଚାଲିଛି ।

ସେ କହିଛନ୍ତି ଯେ ଭାରତର ତୈଳ ଏବଂ ଗ୍ୟାସ କ୍ଷେତ୍ର ବହୁତ ଭଲ ଉପାୟରେ ସେବେ କାମ କରିପାରିବ ଯେତେବେଳେ ବିଶ୍ୱ ବିକାଶ ସହିତ ସମନ୍ୱୟ ରଖିବ । ଫଳରେ କେବଳ ଭାରତରେ ଉର୍ଜା ପରିବର୍ତନ ପ୍ରଭାବିତ ହେବ ନାହିଁ ବରଂ ବିଶ୍ୱ ଉର୍ଜା ଗତିଶୀଳତାକୁ ଦାୟିତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ । ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ । ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ରମାଗତ ଭାବରେ ସେମାନଙ୍କ ଉର୍ଜାର ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।