ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଆମର ଲକ୍ଷ୍ୟ -ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ସୋମବାର ସିଆଇଆଇ ପକ୍ଷରୁ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦ୍ବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଭାରତ ସରକାରଙ୍କର ପ୍ରଥମିକତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ‘ଫାର୍ମ ଟୁ ଫୁଏଲ’ ଉଦଘାଟନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷି ବର୍ଜ୍ୟ, ଆଦିବାସୀ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ଲଘୁ ବନଜାତ ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତି ଆମକୁ ପେଟ୍ରୋଲ ଡିଜେଲ୍ ପରି ଫସିଲ୍ ଉର୍ଜା ଆମଦାନୀକୁ କମ୍ କରିବାରେ ସହାୟକ ହେବ । ଏହାଦ୍ୱାରା ଆମର ଆମଦାନୀ କମ୍ ହୋଇ ଅର୍ଥନୀତି ମଜବୁତ୍ ହେବା ସହ ଚାଷୀ ଭାଇ ମାନଙ୍କର ମଧ୍ୟ ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱରେ ଉର୍ଜା କ୍ଷେତ୍ର ଅନ୍ୟ କ୍ଷେତ୍ର ମାନଙ୍କ ଠାରୁ ଭିନ୍ନ ଅଟେ । ଭାରତ ସରକାର ଗରିବରୁ ଧନୀ ସମସ୍ତଙ୍କ ନିକଟରେ ଶସ୍ତା ଏବଂ ସୁସ୍ଥ ଇନ୍ଧନ ପହଁଚାଇବା ଦିଗରେ କାମ କରୁଛନ୍ତି । ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ୧ ନମ୍ବର ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ ହେବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ୟୁଏସ୍ଏଲଏନଜି ଆମଦାନୀ ପାଇଁ ଭାରତ ଏବଂ ୟୁଏଇ ମଧ୍ୟରେ କ୍ଷେତ୍ରରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏଥିରୁ ଭାରତର ପରିବେଶ ସହଯୋଗୀ ବା ସ୍ୱଚ୍ଛ ଇନ୍ଧନକୁ ବୃଦ୍ଧି କରିବାର ଯେଉଁ ଦାୟିତ୍ୱ ତାହା ପରିଲକ୍ଷିତ ହେଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେରିକା ଭଳି ଇଥାନଲ, ୨ଜି ଇଥାନଲ୍, ବାୟୋଡିଜେଲ୍ ଏବଂ କମ୍ପ୍ରେସଡ୍ ବାୟୋ ଗ୍ୟାସକୁ ନେଇ ଆମେ ଦୁନିଆର ଭୌଗଳିକ ସ୍ଥିତିକୁ ବଦଳାଇପାରିବା । ମୋଦି ସରକାର ଅନ୍ନଦାତାଙ୍କୁ ଉର୍ଜାଦାତା ବନେଇବା ପାଇଁ ଚଳିତ ବଜେଟରେ ବାୟୋ ଅର୍ଥନୀତିକୁ ସାମିଲ କରିଛନ୍ତି । ଜୈବ ଶକ୍ତି କ୍ଷେତ୍ରକୁ ମଜବୁତ୍ କରାଗଲେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଅନ୍ନଦାତା ଉର୍ଜାଦାତା ହୋଇପାରିବେ । ସେହିପରି ୨ଜି ଇଥାନଲ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।