ଅନୁଗୁଳ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ବନ୍ତଳାଠାରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି । ତାଙ୍କ ସହ ଅନୁଗୁଳ ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଉପସ୍ଥିତ ଥିଲେ । ଏହି ରୋଡ ଶୋ’ରେ ହଜାର ହଜାର ବିଜେପି କର୍ମୀ ବାଇକ୍ ରାଲିରେ ଯାଇଥିଲେ । ରାସ୍ତା କଡରେ ହଜାର ହଜାର ଦର୍ଶକ ଘଂଟା ଘଂଟା ଧରି ଅପେକ୍ଷା କରି ଦେଖିଥିଲେ । ରୋଡ ଶୋ’ ଯୋଗ ଦେବା ପାଇଁ ମନ୍ତ୍ରୀ ପ୍ରଥମେ ହେଲିକପ୍ଟର ଯୋଗେ ସେଠାରେ ପହଁଂଚିଥିଲେ । କେନ୍ଦ୍ରମନ୍ତ୍ରୀ ସେଠାରେ ପଂହଚିବା କ୍ଷଣି ତାଙ୍କୁ ବିଜେପି କର୍ମୀମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏଥର ମିଶନ ୧୨୦କୁ ସଫଳ କରନ୍ତୁ ଓ କେନ୍ଦ୍ର ଏବଂ ରାଜ୍ୟ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ ବୋଲି କହିଥିଲେ । ପରେ ପାଲଲହଡାର ଖମାରରେ ଏକ ସାଧାରଣ ସଭାରେ ଯୋଗ ଦେଇ ପାଲଲହଡା ମୋ ଘର ଏବଂ ମୋ ପରିବାର ଲୋକ ମୋତେ ସମର୍ଥନ କରିବେନି ତ ଆଉ କାହାକୁ କରିବେ ବୋଲି କହିଥିଲେ । ଆପଣମାନେ ଏଥର ନିଶ୍ଚିତ ପାଲଲହଡା ବିକାଶ ପାଇଁ ଅଶୋକ ମହାନ୍ତିଙ୍କୁ ଭୋଟ ଦେବା ସହ ରୁଦ୍ରନାରାୟଣ ପାଣିଙ୍କୁ ଭୋଟ ଦେବା ପାଇଁ କହିଥିଲେ ।