ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡିଶାର ଯାତ୍ରୀଙ୍କ ସୁବିଧା ତଥା ଓଡିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ ଭୂମିକା ରହିଛି । ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରି ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ପୂର୍ବ ଭାରତରେ ଓଡିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି । କେନ୍ଦ୍ର ସରକାର ଉଡାନ ଯୋଜନା ମାଧ୍ୟମରେ ଆଂଚଳିକ ସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି । ଏହାସହ ରାଜଧାନୀ ଭୁବନେଶ୍ୱର ସହ ସିଧାସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତମାନ ଭୁବନେଶ୍ୱରର ସିଧାସିଧା ବିମାନ ସଂଯୋଗ କେବଳ ଥାଇଲାଣ୍ଡର ବ୍ୟାଙ୍କକ୍ ସହ ରହିଛି । ଭୁବନେଶ୍ୱରକୁ ୟୁଏଇର ଦୁବାଇ ସହିତ ଯୋଡିବା ପାଇଁ ଦୀର୍ଘଦିନରୁ ଦାବୀ ହୋଇ ଆସୁଛି । ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ୟୁନାଇଟେଡ୍ ଆରବ୍ ଏମିରେଟସ୍ (ୟୁଏଇ)ର ବିଭିନ୍ନ ଅଂଚଳରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଓଡିଆ ଲୋକ ବସବାସ କରୁଛନ୍ତି । ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ବିଭିନ୍ନ ପରୋକ୍ଷ ପଥରେ ଯିବାଆସିବା କରିବାକୁ ପଡୁଛି । ଶ୍ରୀ ପ୍ରଧାନ କହିଛନ୍ତି ତାଙ୍କର ସୂଚନାନୁସାରେ ୟୁଏଇର ଓଡିଆ ସୋସାଇଟି ଏୟାର ଇଣ୍ଡିଆର ମଧ୍ୟ ପ୍ରାଚ୍ୟ ଅଧିକାରୀଙ୍କ ସହ ସାକ୍ଷାତ୍ କରି ଦୁବାଇ-ଭୁବନେଶ୍ୱର ମଧ୍ୟରେ ସିଧା ବିମାନ ଯୋଗାଯୋଗ ପାଇଁ ଥିବା ଭଲ ଯାତାୟତ ତଥ୍ୟକୁ ସୂଚିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟସେବା, ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର ଭାବରେ ବିକଶିତ ହୋଇଛି ଓ ସ୍ୱାସ୍ଥ୍ୟ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ତଥା ଶିକ୍ଷା କ୍ଷେତ୍ରରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ ।