ସାର୍ଟିଫିକେଟ୍ ପାଇଁ ପାଠ ନପଢି ରୁଚି ଅନୁଯାୟୀ ବିଦ୍ୟା ଅଧ୍ୟୟନ କରିବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡିଆ ଯୁବକମାନେ ଯେବେ ନିଜ ଇଚ୍ଛା ଅନୁସାରେ ରାଜ୍ୟରେ ସମ୍ପନ୍ନତା ଆଣିବାର ନିଷ୍ପତି ନେବେ ତଥା ନିଜେ ମାଲିକ ହେବାର ପ୍ରତିଜ୍ଞା କରିବେ ସେବେ ପୁନର୍ବାର ଓଡିଶାର ୧ ହଜାର ବର୍ଷ ପୂର୍ବର ସମ୍ପନ୍ନତାକୁ ଫେରାଇ ଅଣାଯାଇପାରିବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକର ୨୩ତମ ପ୍ରତିଷ୍ଠା ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୟ ରାଜ୍ୟର ଲୋକମାନେ ଓଡିଶାର ସମ୍ପନ୍ନତା ଆଣିପାରିବେ ନାହିଁ । ବିଶେଷ ଭାବରେ ଯୁବପିଢିଙ୍କୁ ଓଡିଶାର ସମ୍ପନ୍ନତା ଆଣିବାକୁ ଉଦ୍ୟମ କରିବା ପାଇଁ ପଡିବ । ନୀଳାଚଳ ପଲିଟେକନିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଓଡିଶାକୁ ସମ୍ମନ୍ନତା ଆଣିବାରେ ଆଗରେ ରହିବେ । ରୋଜଗାର, ପାଠପଢା ବ୍ୟତିତ ଏ ଗୌରବଶାଳୀ ରାଜ୍ୟ ଓଡିଶାକୁ ଆଗକୁ ନେବାର ଆବଶ୍ୟକତା ରହିଛି । ସେହିପରି ଓଡିଶାରେ ବିଗତ ଦୁଇ ଦଶନ୍ଧି ଧରି ନୀଳାଚଳ ପଲିଟେକନିକ ଏକ ଶିକ୍ଷା ଅନୁଷ୍ଠାନ ଭାବେ ଲକ୍ଷ ଲକ୍ଷ ପିଲାଙ୍କୁ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ରାଜ୍ୟ ତଥା ଦେଶକୁ ଗଢି ତୋଳିବାରେ ଏହି ଶିକ୍ଷାନୁଷ୍ଠାନର ଯୋଗଦାନ ଅତୁଳନୀୟ ।  ଏହି ଶିକ୍ଷାନୁଷ୍ଠାନ ଦୁନିଆକୁ ପରିବର୍ତନର କ୍ଷମତା ରଖିଛି । ଶହୀଦ ବାଜି ରାଉତ ହଜାର ହଜାର ଲୋକଙ୍କ ଜୀବନକୁ ରକ୍ଷା କରିବାକୁ ଯାଇ ଇଂରେଜ ମାନଙ୍କ ଠାରୁ ଗୁଳି ଖାଇଥିଲା । ସେହିପରି ଧର୍ମପଦ୧୨ଶହ କାରିଗରଙ୍କ ଜୀବନ ବଂଚାଇ ସମୁଦ୍ରରେ ମୁଣ୍ଡି ମାରିଥିଲା । ଯେଉଁ ରାଜ୍ୟରେ ଏଭଳି ସାହସୀ ପିଲା ଥିଲେ, ସେହି ମର୍ମରେ ଏକବିଂଶ ଶତାବ୍ଦିରେ ପୃଥିବୀରେ ଯେଉଁ ନୂଆ ଅର୍ଥନୈତିକ ଢାଂଚା ହେବ, ତାର କେନ୍ଦ୍ରବିନ୍ଦୁ ନୀଳାଚଳ ପଲିଟେକନିକ୍ ହେବ ବୋଲି ସେ କହିଛନ୍ତି ।  

ସେହିପରି ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବଦ୍ଧନ କରି କହିଛନ୍ତି ଯେ ନିଜ ନିଷ୍ପତିର ମାଲିକ ନିିଜେ ହେବା ଉଚିତ୍ । ନିଜର ଇଚ୍ଛା ଅନୁଯାଇ କ୍ୟାରିୟର କରିବା ଦରକାର । କେବଳ ସାର୍ଟିଫିକେଟ୍ ପାଇଁ ପାଠ ନପଢି ରୁଚି ଓ ଇଚ୍ଛା ଅନୁଯାୟୀ ବିଦ୍ୟା ଅଧ୍ୟୟନ କରିବା ଦରକାର । ଦାରିଦ୍ର୍ୟକତାରୁ ମୁକ୍ତି ପାଇଁ ବିଦ୍ୟା ଅଧ୍ୟୟନ କରିବା ଦରକାର । ଏହାର ଉଦାହରଣ ଦେବାକୁ ଯାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱର୍ଗତ ଏପିଜେ ଅବୁଦଲ କଲାମ କେବଳ କାର୍ଯ୍ୟ ପାଇଁ ନୁହେଁ ନିଜ ଇଚ୍ଛା ଓ ଋଚି ପାଇଁ ଭାରତକୁ ଗୌରବାନ୍ୱିତ କରି ପାରିଥିଲେ । ତାଙ୍କର ଇଚ୍ଛା ହେବାର ଦୂରଦଷ୍ଟି ତାଙ୍କର ରାଷ୍ଟ୍ରପତି ପଦକୁ ଅଧିକ ମର୍ଯ୍ୟାଦା ପ୍ରଦାନ କରିଥିଲା । ଏହି ପରିପ୍ରେକ୍ଷୀରେ ସମାଜର ନୂଆପିଢି ଯେବେ ତାର ସ୍ୱାଭିମାନକୁ ଆଧାର କରିବ ତଥା ଲକ୍ଷ୍ୟ ପାଇଁ ଦୃଷ୍ଟି ରଖିବ ତେବେ ଯାଇ ତାର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ନୀଳାଚଳ ପଲିଟେକନିକର ନୂଆ ୱେବସାଇଟ୍ ଉନ୍ମୋଚନ କରିଥିଲେ ।